ଦିଅନି ଲିଭାଇ ଜଳିବା ଦୀପ
ଦିଅନି ଲିଭାଇ ଜଳିବା ଦୀପ
ପବିତ୍ର ଛନ୍ଦରେ ଜୀବନ ଜଳାଏ
ଆଲୋକ ପ୍ରଦାନେ ସଦା ତତ୍ପର
ପ୍ରଜ୍ଜ୍ଵଳିତ ଦୀପ ତ୍ୟାଗ ତା ସ୍ଵଭାବ
ମହନୀୟତାର ସ୍ରୋତ ଗମ୍ଭୀର ।୧
ଦିବ୍ୟ ପ୍ରକାଶରେ ଚ଼େତନା ମହକେ
ମହାଭାବ ନେଇ ମହକ ବାଣ୍ଟେ
ମନ୍ତ୍ରସିକ୍ତତାର ଅମୀୟ ଭାବନା
ଚିର ଉଚ୍ଛ୍ଵାସରେ ଖୁସୀ ସାଉଁଟେ |୨
ସ୍ୱଭାବେ ଯାହାର ପବିତ୍ର ବିଚାର
ତ୍ୟାଗ ଚାଳିଶାରେ ଗୁରୁ ଗମ୍ଭୀର
ନିର୍ବାପିତ ପାଇଁ କାହିଁ ପାଇଁ ବ୍ୟଗ୍ର
ଲିଭାଇ ଦିଅନି ତ୍ୟାଗ ସ୍ୱାକ୍ଷର । ୩
ଆତ୍ମ ଦହନକୁ ହୃଦୟେ ସାଉଁଟି
ଭବ୍ୟତା ମନ୍ଦିର ନିର୍ମାଣ କରେ
ଅଳ୍ପାୟୁଷ ସିନା କର୍ମ ତା ମହାନ
ଯନ୍ତ୍ରଣା ସାଉଁଟି ଆଲୋକ ଭରେ । ୪
ଚେତନାକୁ ଶୁଦ୍ଧ ଅଙ୍ଗୀକାର ବଦ୍ଧ
ଜୀବନକୁ ଦିଏ ଅମୂଲ୍ୟ ବାର୍ତ୍ତା
ତମସା ରଜନୀ କରଇ ହରଣି
ପୋଡ଼ା ପାଉଁଶ ବି କହଇ କଥା |୫
ତୈଳ ସଳିତାର ଐକ୍ୟ ବଦ୍ଧତା ରେ
ଜୀବନ ପାତ୍ରଟି ସଂସ୍କୃତି ଭରା
ପରଂପରା ସ୍ରୋତେ ଦିବ୍ୟ ଅନୁଭବ
ପ୍ରେମ ସମର୍ପଣ ତା ଅପାଶୋରା ।୬
ଜୀବନ ଦୀପର ଆଦ୍ୟ ଓଁକାରରେ
ଜଳିବା ଦୀପର ମହାର୍ଘ ମୂଲ୍ୟ
ପରୋପକାରୀତା ତ୍ୟାଗ ମହାନତା
ଜୀବନ କରିବା ଦୀପର ତୁଲ୍ୟ । ୭
ଜୀବନର ଦୀପ ପ୍ରଶାନ୍ତ ଦିପାଳୀ
ମୂଲ୍ୟବୋଧ ସିକ୍ତ ନିର୍ଲିପ୍ତ ଆଭା
ନିର୍ବିକାର ଯୁକ୍ତ ସଂସ୍କୃତି ବାହକ
ଆତ୍ମ ସନ୍ତୁଷ୍ଟିର ଅନନ୍ୟ ବିଭା । ୮
ଦୀପର ତତ୍ତ୍ଵରେ ଜୀବନର ସୃଷ୍ଟି
ବୈଦିକ ଭାବର ଚାରୁ ସଂସ୍କାର
ଦିଅନି ଲିଭାଇ ଜଳିବା ଦୀପକୁ
ସମାଜକୁ କରୁ ନିତ୍ୟ ସୁନ୍ଦର । ୯
ଦୀପ ତତ୍ତ୍ବବାଣୀ ଅମୂଲ୍ୟ କାହାଣୀ
ହୃଦୟେ ପ୍ରଶାନ୍ତି ନିଳୟ ତୋଳେ
ଦିଅନି ଲିଭାଇ ଜଳିବା ଦୀପକୁ
ଆତ୍ମ ଦର୍ଶନର ଆନନ୍ଦ ଢ଼ାଳେ । ୧୦
ଜଳିବା ଦୀପର ଆତ୍ମିକ ଆହ୍ଲାଦ
ପରୋପକାରର ଦିବ୍ୟ ଭାବନା
ଭାବ ଆହରଣେ ହେବା ନିମଜ୍ଜିତ
ଝଲସି ଉଠିବ ପ୍ରୀତି ଅଗଣା । ୧୧
ନୈସର୍ଗିକତାର ମହକକୁ ନେଇ
ନିରାସକ୍ତ ମନ ସିକ୍ତ କରିବା
ଲିଭାଇ ଦିଅନା ଜଳିବା ଦୀପକୁ
ସିଏ ପରା ଆମ ଶାନ୍ତି ଅଗଣା । ୧୨
ଅଳପ ଆୟୁଷ ପ୍ରୀତିର ପୀୟୁଷ
ଜୀବନ ତତ୍ତ୍ଵରେ ମାଖି ହୋଇବା
ଦୀପ ତତ୍ତ୍ଵ ନେଇ ଜୀବନର ଗୀତି
ରାଗ ରାଗିଣୀରେ ସଜାଉ ଥିବା I୧୩
ବୈଦିକର ରାଗ ସତ୍ୟର ସରାଗ
ଆଲୋକର ଦାନ ଦିବ୍ୟ ସନ୍ତୁଷ୍ଟି
ଦେବାନି ଲିଭାଇ ଜୀବନ ଦୀପକୁ
ଜୀବନ ପ୍ରଭୁଙ୍କ ପବିତ୍ର ପୋଥି । ୧୪
