ହାତ ଅଳସେ ନିଶ ବଙ୍କା
ହାତ ଅଳସେ ନିଶ ବଙ୍କା
ଆଳସ୍ୟ, ବିଳାସ ବଶରେ ମଣିଷ
ସର୍ବନାଶ ଡାକି ଆଣେ
ଅସଫଳତା ର ତିକ୍ତ ଅନୁଭୂତି
ଜୀବନେ ଯାତନା ଗଣେ । ୧
ଆଳସ୍ୟରେ ବଶ ଜୀବନ ନିରାଶ
ବ୍ୟକ୍ତିତ୍ବେ କାଳିମା ଛିଟା
ନିଜ କଥା ନିଜେ ନ ଭାବିବା ଫଳ
ଜୀବନ ଯେ ହଟ ହଟା I୨
ଜୀବନ ଯାତ୍ରାରେ କର୍ମ ସହଚର
ଜୀବନର ମାନଦଣ୍ଡ
କର୍ମ କର୍ତ୍ତବ୍ୟର ଅପୂର୍ବ ମିଳନେ
ଜୀବନ ତୋଳଇ ଛନ୍ଦ । ୩
କର୍ମ କର୍ତ୍ତବ୍ୟରେ ଆଳସ୍ୟ ନଥିଲେ
ଦେହ ମନ ଉତ୍ଫ୍ଲଲ୍ଲିତ
ଆଳସ୍ୟେ ଶରୀର ଗଣଇ ପ୍ରମାଦ
ମନ ହୁଏ ଅସ୍ତ ବ୍ୟସ୍ତ l ୪
ଓଡ଼ିଆର ରୁଢ଼ି ଜୀବନର ବାଡି
ଚେତାବନୀ ମନ୍ତ୍ର ସିଏ
ଛୋଟ କଥା ମଧ୍ୟେ ଜୀବନ ବାରତା
ସତର୍କ ଘଣ୍ଟି ବଜାଏ |୫
ଆଳସ୍ୟ ଗ୍ରହୀତ ବ୍ୟଥା ଅପ୍ରମିତ
ଜୀବନ ସ୍ଥିତି ଦୁଃସହ
ହାତ ଅଳସ ରେ ନିଶ ବଙ୍କା ରହେ
ଏକଥା ଟି ଯେ ଦୁରୁହ ।୬
ଆଳସ୍ୟର ଦାନ ବିରକ୍ତି ସୋପାନ
ଅସାମଞ୍ଜସ୍ୟ ଜୀବନ
କ୍ଷୁଦ୍ର ପିମ୍ପୁଡ଼ି ଟି ଆଳସ୍ୟକୁ ଛାଡ଼ି
କର୍ମେ ସଦା ରଖେ ମନ । ୭
ଆଳସ୍ୟ ହରଇ ଧୈର୍ଯ୍ୟ ଓ ସ୍ଥିରତା
ହଜିଯାଏ ନୈତିକତା
ହାତ ନ ହଲାଇ ନିଶ ବଙ୍କା ରଖି
ପରିହାସର ଯୋଗ୍ୟତା |୮
ପୁରୁଷର ନିଶ ବ୍ୟକ୍ତିତ୍ୱ ଆବାସ
ଆକର୍ଷଣୀୟ ତା ସ୍ଥିତି
ହାତ ଅଳସରେ ତାର ମୂଲ୍ୟ ହ୍ରାସ
ହାସ୍ୟାସ୍ପଦ ନିତି ନିତି । ୯
ଆଳସ୍ୟରେ ନର ଭୁଲଇ ବାଗ୍ମୀତା
ବୁଦ୍ଧି ରୁନ୍ଧି ହୋଇ ଯାଏ
କର୍ମ କୁଶଳତା ହାନି ହେଲା ପରେ
ସର୍ବେ କର୍ମ କୁଢ଼ କହେ | ୧୦
ଆଳସ୍ୟ ଜୀବନ ନିରର୍ଥକ ଅଟେ
କୁଟୁମ୍ବଙ୍କ ପାଇଁ ବୋଝ
ନିକ୍କମା ପଣରେ ନିଜେ କଷ୍ଟପାଏ
କର୍ତ୍ତବ୍ୟ ଭୁଲେ ମଣିଷ ।୧୧
ପରିଶ୍ରମୀ ନର ନଥାଏ ତା ଡର
ପେଟ ଉପାସ ରହେନି
ପରିବାରେ ତାର ଅଭାବ ନଥାଏ
ଶାନ୍ତି ତା ପାଖ ଛାଡ଼େନି ।୧୨
ବିବେକୀ ଜାଣନ୍ତି କର୍ମର ମର୍ମକୁ
ଆଳସ୍ୟ ପାଖ ମାଡ଼େନି
ଆଳସ୍ୟ ଜୀବନ କି ବୁଝିବ ତତ୍ତ୍ଵ
କର୍ତ୍ତବ୍ୟ କଥା ଭାବେନି |୧୩
ବ୍ୟକ୍ତିତ୍ବ ହଜାଏ ଅସ୍ତିତ୍ୱ ହଜାଏ
ଆଳସ୍ୟ ମଣିଷ ତୁଚ୍ଛ
ଜୀବନକୁ କରେ ଦୁର୍ଭାବନା ମୟ
ଅଶାନ୍ତି ନଛାଡ଼େ ପଛ I୧୪
ପୁରୁଷର ନିଶ ବଙ୍କା ହୋଇଯିବା
ନିଜର ଅଳସୁଆମି
ହାତ ନ ଚ଼ଲାଇ ବଙ୍କା ନିଶ ନେଇ
ଅନ୍ୟ ପାଇଁ ପାଗଳାମି । ୧୫
ସମୟ ଚାଲିଛି ପଛକୁ ଫେରେନି
ଜୀବନ ତା ସାଥେ ଚ଼ାଲେ
ଦୁର୍ମୁଲ୍ୟ ଜୀବନ କର୍ମ ଛାଡ଼ିଦେଲେ
ମୂଲ୍ୟହୀନ ହୋଇ ବୁଲେ । ୧୬
ଆଳସ୍ୟେ ସମ୍ପଦ ବିନାଶ ହୁଅଇ
ଶାନ୍ତି ପରାହତ ହୁଏ
ଆଳସ୍ୟରେ ଆଜି କାମ ରଖିଦେଲେ
କାଲି ବୋଝ ବନି ଯାଏ l ୧୭
ଆଳସ୍ୟ ଅଟଇ ବଡ ଶତ୍ରୁ ଟିଏ
ଅମଣିଷ କରି ଦିଏ
ଘର ଠୁ ବାହାର ସବୁଠାରେ ସିଏ
ଅଶାନ୍ତି କାରଣ ହୁଏ।୧୮
ଶେଷ ପରିଣତି ଭୀତିମୟ ପରା
ଆଳସ୍ୟ ତ୍ୟାଗ କରିବା
କର୍ମର ମର୍ମରେ କର୍ତ୍ତବ୍ୟ ଧ୍ବନୀରେ
ଶାନ୍ତି ବାରତା ବାଣ୍ଟିବା ।୨୦
