ଜଗନ୍ନାଥଙ୍କୁ ପଦେ
ଜଗନ୍ନାଥଙ୍କୁ ପଦେ
ବରଷକେ ଥରେ ରଥ ଯାତ ତୋର
ଆସୁଥିଲା ,ଆସୁଥିବ
ଦେଖିବାକୁ ତୋତେ ନନ୍ଦିଘୋଷ ରଥେ
ଭିଡ଼ ତ ଲାଗି ରହିବ।
କାଳିଆ ସାଆନ୍ତ ତୋ ଭାଇ , ଭଉଣୀ
କୃପାର ଭଣ୍ଡାର ବୋହି
ଭକତମାନଙ୍କୁ ଚାହିଁ ତୋ ରଥରୁ
କରିଲୁ କୃତାର୍ଥ ତୁହି ।
ଭାବି ନ ଥିଲି ମୁଁ ରଥ ଯାତ ତୋର
ଦେଖିବି ଚର୍ମ ଚକ୍ଷୁରେ
ଅପଲକ ନେତ୍ରେ ରହିଛୁ ଅନାଇ
ଦେଖି ମନ, ପ୍ରାଣ ଭରେ ।
ତୋ ପରା ସାଆନ୍ତ ଥାଉ ଅରକ୍ଷିତ
କିମ୍ପା ହୋଇଛି ଓଡିଶା
ଜଡତା ,ଆଳସ୍ୟ,ତାମସିକତାର
ରାଜତ୍ଵ ବୁଡାଏ ହଂସା।
ଉଠ କଙ୍କାଳ, ତୁଟୁ ଶୃଙ୍ଖଳ
ନାରା ଗଲା କେଣେ ହଜି?
ଅସାର ମଣଇ ନିଜର ଜୀବନ
ବଞ୍ଚିଲା ମଣିଷ ଆଜି ।
ତୋ ବେତ ପ୍ରହାର କେବେ ଦେବ କାମ
ଠକ, ଭଣ୍ଡ ଯେ ମାତିଲେ
ଘର କି ବାହାର ସବୁଠି ଅଶାନ୍ତି
ରାହା ତ ତିଳେ ନ ମିଳେ ।
ବିଦ୍ୟାଳୟ ସିନା ହେଲା ଦଣ୍ଡମୁକ୍ତ
ତୋତେ କେ କଲା ଆକଟ?
ବାର ହାତ ଖଣ୍ଡା ଉଠାଇ ସଭିଙ୍କୁ
କରିବୁ କି ଛଟପଟ।
ବେଳ ଥାଉ ଥାଉ ନ ବାନ୍ଧିକି ବନ୍ଧ
ପ୍ରଶ୍ରୟ କାହିଁକି ଦେଉ?
ତୋ ଇଙ୍ଗିତ ବିନା ନ ହଲେ ପତର
ବଳେଇବ ତୋତେ କାହୁଁ?
ନଖରେ ଛିଣ୍ଡିବା ଯାହା ଆବଶ୍ୟକ
ମୂଳରୁ ନ ଦେଲେ ରୋକି
କଟୁରୀ, କୁରାଢି ଲୋଡିଲା ବେଳକୁ
ନ ଥିବ ତ କିଛି ବାକି ।
ଉତ୍କଳରେ ନେତା ନାହିଁ ପ୍ରୟୋଜନ
କହୁଥିଲେ କାନେ କାନେ
ରାଜନୀତି, କ୍ଷମତାର ଚକ୍ରବ୍ୟୁହ
ଓଡ଼ିଶାର କୋଣେ କୋଣେ।
L
ଫେରିବ କେବେ ସେ ସୁଦିନ ସତରେ
ଆଶାରେ ବଞ୍ଚିଛୁ ପୁଣି
ମାନ, ଅଭିମାନ ତେଜି ତୋ ମନରୁ
ଶାନ୍ତି ବୀଜ ଦେ ବୁଣି।