ଜାତୀୟ ପତାକା
ଜାତୀୟ ପତାକା
ଜାତୀୟ ପତାକାର ତିନି ରଙ୍ଗକୁ
ବୋଳି ଦେଇ ନିଜ ଦେହେ,
ମଥାରେ ଦେଇ ସବୁଜ ଓଢଣୀକୁ
ଧଳା ଶାଢ଼ୀ ପିନ୍ଧି ଶୋହେ l
ଦୂରକୁ ସୁନ୍ଦର ଉଚ୍ଚ ପରବତ
ପାଖକୁ ସୁନ୍ଦର ନଈ,
ସେପରି କେବଳ ଦିଶୁଥାଏ ମୋତେ
ମନ ମୋର ନିଏ ମୋହି l
ପ୍ରକୃତି ରାଣୀର ଯେତେ ଶୋଭା ଠାରୁ
ସବୁ ଶୋଭାକୁ ଛଡେଇ,
କେଉଁଠୁ କରିବି ବର୍ଣ୍ଣନା କିପରି
ନିଜେ ତ ପାରୁନି କହି l
ସବୁଜ ରଙ୍ଗକୁ ଦେଖିଦେଲେ ତୋର
ଆଖି ପରା ଯାଏ ଲାଖି,
ହାତେ ଆଉଁସିବାକୁ ଇଚ୍ଛା ହୁଅଇ
ରୂପ ଲାବଣ୍ୟକୁ ଦେଖି l
ହାତେ ଧରି ଯେବେ ଟେକି ଦେଲି ତେବେ
ଭୂଇଁରୁ ଉପୁଡି ଗଲୁ,
ମାତା ସନ୍ତାନକୁ ଗେହ୍ଲା କଲା ପରି
ମୋ ଦେହେ ଆସି ମିଶିଲୁ l
ମାଟି ଭିତରେ ତୋ ଅଣ୍ଟାକୁ ଲୁଚାଇ
ସାପ ପରି ଚାହୁଁଥିଲୁ,
ଧବଳ ବର୍ଣ୍ଣର ହାତୀଦାନ୍ତ ଦେଖି
ମୋ ମନକୁ କିଣି ନେଲୁ l
ଇଛା ହୁଏ ତୋତେ ଗେଲ କରିବାକୁ
କୋମଳ ଧଳା ଗାଲକୁ,
ଗେଲ କରୁ କରୁ ଖାଇଦେଲି ତୋତେ
ଛିଡାଇ ଦେଇ ଅଗକୁ l
ରାଗ ଲାଗୁଥିଲା ବାଗ ଲାଗୁଥିଲା
ଖାଇଲା ବେଳେ ମୁଁ ତୋତେ,
କାଡୁ କାଡୁ କରି ଚୋବାଇ ଖାଇଲେ
ଭଲ ଲାଗୁଥାଏ ମୋତେ l
ତରକାରୀ, ଖଟା, ଘାଣ୍ଟ, ଭଜା କରିଲେ
ଭାରି ସୁଆଦିଆ ଲାଗେ,
ଅଗ ପତ୍ରକୁ କାଞ୍ଜି କରି ଖାଇଲେ
ସାରିବା ଯାଏଁ ମୁଁ ମାଗେ l
ବଢ଼ି ତା ବଢ଼ି, ସରି ନୁହଁ ଫୁଲ ବଢ଼ି
ଖାଇବାକୁ ଲାଗେ ଭଲ,
ମନ୍ଥା ତରକାରୀରେ ସୁଆଦ ବେଶୀ
ଚାଟିଲେ ଧରି ଆମ୍ବୁଲ l
ପରିବା ଭିତରେ ତୁ ଭଲ ପରିବା
ଶୀତ ଦିନେ ଫଳିଥାଉ,
ସଭିଙ୍କ ପାଖରେ ଆଦର ତୋ ବଢେ
କମିଯାଏ ତୋର ଭାଉ l
ବ୍ରାହ୍ମଣ ଠାରୁ ଚଣ୍ଡାଳ ପରିଯନ୍ତ
ସବୁରି ଠାରେ ତୁ ପ୍ରିୟ,
ଛୋଟପିଲା ଠାରୁ ବୁଢା ଯାଏଁ ସବୁ
କେହି କରନ୍ତିନି ହେୟ l
ବିହନ ତୋହର ଇଷତ ନାରଙ୍ଗୀ
ଅଟେ ବୀରତ୍ୱର ପ୍ରତୀକ,
ପତ୍ରର ରଙ୍ଗ ସୂଚିତ କରୁଅଛି
ପ୍ରଗତି କରି ମଥା ଟେକ l
ପ୍ରଧାନ ମୂଳ ତୋ ଶାନ୍ତିର ପ୍ରତୀକ
ରାତ୍ରରେ ଚନ୍ଦ୍ରାଲୋକ ସମ
ଯେତେ କହିଲେ ତୋ ଗୁଣ ସରିବନି
ପରିବା ମଧ୍ୟେ ସର୍ବୋତ୍ତମ l
ମାଛ ମଧ୍ୟେ ଫଳୀ, ନାରୀ ମଧ୍ୟେ ଶାଳୀ
ନାଆଁ ନାହିଁ ଯାର ଶଳା,
ନଗରରେ ଦିଲ୍ଲୀ, କୁସୁମରେ ମଲ୍ଲୀ
ପରିବାରେ ଶ୍ରେଷ୍ଠ ମୂଳା l