ଜାରଜ
ଜାରଜ


ମାଟି ପାଣି ପବନରୁ ଗଢ଼ା
ମୋ ପଞ୍ଚତତ୍ତ୍ୱର ଶରୀର
ଠିକ୍ ଯେମିତି ତୁମ ମାନଙ୍କର
ମୋର ବି ଅଛି ଏକ
ପ୍ରାଣାନ୍ତକ ସଂଘର୍ଷମୟ ଗାଥା
ମାତୃଗର୍ଭରୁ ଧରାବତରଣ ଯାତ୍ରାର
ହେଲେ ମୋ ଜନ୍ମ ପଛରେ
ଥିଲା ଅନେକ ପ୍ରଶ୍ନବାଚୀ
ଅଭିଶପ୍ତ ବାଲ୍ୟ ମୋର , ଭରା ତଚ୍ଛଲ୍ୟରେ
ଖୁବ୍ କଣ୍ଟକିତ ଗନ୍ତବ୍ୟ ପଥ ମୋର
ତା'ଠାରୁ କରୁଣମୟ ଥିଲା
ମା'ର ବାତ୍ସଲ୍ୟ ମମତା
ବହ୍ନିବଳୟ ଭିତରେ କରେ ସଦା ବାସ
ଅଗ୍ନିସ୍ନାନ କରୁଥାଏ ପ୍ରତିଟି ମୁହୂର୍ତ୍ତ
ଉତ୍ତପ୍ତ ଅମୃତ କରିଛି ମୁଁ ପାନ
ଯୁଦ୍ଧ୍ୟଂ ଦେହି ଯୁଦ୍ଧ୍ୟଂ ଦେହି
ଯେମିତି ଥିଲା ତା'ର ଡାକରା
<p>ସମସ୍ତ ନାରୀଙ୍କ ଠାରୁ ସେ ନିଆରା
ହରାଇ ଥିଲି ମୁଁ
ମୋର ବାଲ୍ୟ ଚପଳତା
ଶୈଶବର ସ୍ମୃତି କେବଳ ଏକ ତାଳିପକା ଛତା
ବିସ୍ତୃତ ରାଜପଥରେ
ଏଣେତେଣେ ଉଡିବୁଲେ ମମତାର କାଗଜ ଫୁଲ
ଧାଇଁ ଯାଏ ଗୋଟେଇ ବାକୁ ପୁଞ୍ଜେ
ଧକ୍କା ଖାଇ ଫେରିଆସେ
ଅବାଞ୍ଛିତ ଘୃଣା ମିଶା ଦରଦ ଭରା
ଅନେକ ଆଖିର ଭାଷାରେ
ଯୌବନରେ ହରାଇ ନିଜ ଆତ୍ମପ୍ରତ୍ୟୟ
ଖୋଜି ବୁଲେ ନିଜ ପରିଚୟ
ମଲାଜହ୍ନର ଫିକିଫିକା ଆଲୁଅରେ
କଳା ଆକାଶ ଆବୋରି ବସେ ମୋ ପଥ
ବିକ୍ଷିପ୍ତ ଉଦାସ ତାରା ମାନେ କୁହନ୍ତି
ତତ୍ ତ୍ୱଂ ଆସି , ତତ୍ ତ୍ୱଂ ଅସି ।