ଜାଣିବା ଜଗତେ
ଜାଣିବା ଜଗତେ
ସମୁଦର ଯେବେ
ଲୁଣ ମୁଠେ ଆସି ମାଗେ
ସୂରୁଯଟା ଯେବେ
ଶାନ୍ତ ସୁଶୀତଳ ଲାଗେ
ଜହ୍ନ ଯେବେ ଚାହେଁ
ନେବାକୁ ଆଲୋକ ରେଖା
ମାଆ ଯେବେ କହେ
ମମତା ମନ୍ଦିର ଦେଖା
ଜାଣିବା ଜଗତେ ସୁଖ ନାହିଁ ଆଉ
ସରବେ ହେଲେଣି ହୀନ
ହତଭାଗା ଦୁଃଖୀ ଦୀନ ।।
ଶାସକ ଭରସା
ହୁଏ ଯେବେ ଗଛ ଛାଇ
ବାଡ ଯେବେ ଲୁଚି
କ୍ଷେତଟିକୁ ଦିଏ ଖାଇ
ଉଆଁସରେ ଯେବେ
ଅନ୍ଧକାର ଯାଏ ହଜି
କୁଆ ଯେବେ ନିତି
ରାମ ରାମ ହୁଏ ଭଜି
ଜାଣିବା ଜଗତେ ସୁଖ ନାହିଁ ଆଉ
ସରବେ ହେଲେଣି ହୀନ
ହତଭାଗା ଦୁଃଖୀ ଦୀନ ।।
ଗଛ ଯେବେ ନିଏ
ମାଗିକରି ଫୁଲ ଫଳ
ନଈ ଯେବେ ଖୋଜେ
ଶୋଷ ମାରିବାକୁ ଜଳ
ଚାଳେ ବସି ପିକ
ଗାଏ ଯେବେ କାଆ କାଆ
ଚଷାପୁଅ ଯେବେ
ବିକେ ନେଇ ଫାଳ ଦାଆ
ଜାଣିବା ଜଗତେ ସୁଖ ନାହିଁ ଆଉ
ସରବେ ହେଲେଣି ହୀନ
ହତଭାଗା ଦୁଃଖୀ ଦୀନ ।।
ମଣିଷଟି ଯେବେ
ପଶୁ ହୁଏ ଇଚ୍ଛା କରି
ଘର ଯେବେ ହୁଏ
ଗୋରୁ ଗୁହାଳଟି ପରି
ରାତି ହୁଏ ଦିନ
ସାଧୁ ଯେବେ ମିଛ କହେ
ମଧୁମାସେ ଯେବେ
ତତଲା ପବନ ବହେ
ଜାଣିବା ଜଗତେ ସୁଖ ନାହିଁ ଆଉ
ସରବେ ହେଲେଣି ହୀନ
ହତଭାଗା ଦୁଃଖୀ ଦୀନ ।।
ଆଖି ଯେବେ ନିଦ
ମାଗିବାକୁ ଯାଏ ବୁଲି
ପାଳବଡିଆରେ
ନିଆଁ ଯେବେ ମାଗେ ଚୁଲି
ରଜାପୁଅ ଯେବେ
ଭୋକରେ ଭୂଇଁରେ ଗଡେ
ଲତାରୁ କଅଁଳ
ପତରଟି ଯେବେ ଝଡେ
ଜାଣିବା ଜଗତେ ସୁଖ ନାହିଁ ଆଉ
ସରବେ ହେଲେଣି ହୀନ
ହତଭାଗା ଦୁଃଖୀ ଦୀନ ।।
