STORYMIRROR

Anupama Sahu

Abstract Children

4  

Anupama Sahu

Abstract Children

ମୋ ସହର

ମୋ ସହର

1 min
259

ଏଇ ମୋ ସହର  କେଡେ ମନୋହର 

   ଉପମା କି ଦେବି ତାର 

ଗିରି, ବନ ଘେରା ଖଣିଜରେ ଭରା 

   ନାମ ତାର କେନ୍ଦୁଝର।

ପାହାଡି ଝରଣା  ଝର୍ ଝର୍ ଝରି 

  ଦିଏ ସୁଶୀତଳ ପାଣି 

ମନ୍ଦିର ମାଳିନୀ  ବନାନୀ ଶୋଭିନୀ 

  ନିଅଇ ମନକୁ କିଣି।

ଭୀମକୁଣ୍ଡ , ଖଣ୍ଡାଧାର ,  ଗୋନାସିକା 

  ଘାଗରା ଯେ ନିର୍ଝରିଣୀ 

ଚୋରାଇ ନେଇ ସେ  ଦର୍ଶକ ପ୍ରାଣକୁ 

   ସରାଗେ ରଖଇ ଟାଣି।

ଘଟଗାଁ ବାସିନୀ  ମାଆ ତାରିଣୀ 

   ମୋ ସହର ଠାକୁରାଣୀ 

ଏକତା ମନ୍ତ୍ରରେ  ସଭିଙ୍କୁ ପାଳୁଛି 

   ଭାଇଚାରା ବୀଜ ବୁଣି।

ବାରଟି ମାସକୁ  ତେରଟି ପରବ 

   ସାଥିରେ ପାଳୁ ଏଇଠି 

ମକର, ଚଇତି   ରଜ କରମାରେ 

   ସଭିଏଁ ଭେଟୁ ଏକାଠି। 

ଗୀତ ଗାଇ ପୁଣି  ନାଚୁ ତାଳେ ତାଳେ 

   ହାତରେ ହାତକୁ ଧରି 

ଛଉ, ଚାଙ୍ଗୁ ନୃତ୍ୟ  ଜୁଆଙ୍ଗ, ହୋ, ପୁଣି 

   ଦୁଃଖ ନିଏ ମନୁ ହରି ।

ମୋ ମାଟିର ପୁଅ  ଧରଣୀଧର ଯେ 

   ଜୀବନ ଲଗାଇ ବାଜି 

ମାଆ ପାଇଁ ଲଢି  ଫିରିଙ୍ଗ୍ ସହିତେ 

  ଯଶ ରଖିଗଲା ଆଜି। 

ପୁରି ଅଛି କ୍ରୋମାଇଟ୍, ମାଙ୍ଗାନିଜ୍ 

   ତା ସାଥେ ଲୁହାପଥର 

ଧନ ବଇଭବ  ନାହିଁ ତ ଅଭାବ 

  ରତ୍ନଗର୍ଭା ମୋ ସହର।

ସରଳ ସୁନ୍ଦର  ଜୀବନ ଜୀବିକା 

  ସଭିଏଁ ତ ଆପଣାର 

ଭୋକିଲା ପେଟରେ ଶୁଏନି କେହିରେ 

  ମାଟିକୁ ସାଉଁଣ୍ଟି ତାର।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract