ଅନୁଭୂତି ଏକ ସ୍ନେହର
ଅନୁଭୂତି ଏକ ସ୍ନେହର
ସକାଳୁ ସକାଳୁ ଭାରି ମନେ ପଡେ
ବାପା ହେ ତୁମରି କଥା
କେବେ ତ ଦେଇନ ମୋ ମନେ ଆଘାତ
କି ଅବା କଟୁକ୍ତି ବ୍ୟଥା ।
ଝିଅ ବୋଲି କେବେ ଭାବି ତ ନଥିଲ
ପୁତ୍ର ସମ ଥିଲ ପାଳି
ତୁମରି ବିୟୋଗେ ଝୁରେ ଏଇ ମନ
କେଉଁଠି କରିବି ଅଳି ।
ଖାଇବା ପୂର୍ବରୁ ଖୋଜୁଥିଲ ମୋତେ
ମୋ ଝିଅ କୁଆଡେ ଗଲା
ପେଟ ଭରି କରି ଖାଇଛି କି ନାହିଁ
ଅଧା ପେଟେ ରହି ଥିଲା ।
ମୋର ଅନ୍ତରାଳେ ଶତ୍ରୁ ଯେବେ କରେ
କପଟରେ ଷଡ଼ଯନ୍ତ୍ର
ସତର୍କ କରିଛ ଆଢୁଆଳେ ବସି
କର୍ଣ୍ଣେ ଦେଇ ଫୁସମନ୍ତ୍ର ।
ତୁମ ଇଶାରାକୁ ବୁଝି ତ ନଥିଲି
ଭାଳୁଛି ଏବେ ମୁଁ ବସି
କାହିଁକି ମାନସେ ସାଇତି ପାରିନି
ଏବେ ମୁଁ ହେଉଛି ଘୋଷି ।
ଆପଣାର ବୋଲି ଯାହାକୁ ଭାବିଲି
ଜୀବନେ ସାଜିଲେ କଣ୍ଟା
ତୁମରି ବିଛେଦ ଘାରୁଛି ବାପା ହେ
ଭାଙ୍ଗି ମୋର ଦମ୍ଭ ଅଣ୍ଟା ।
ସରଗ ପୁରରେ ସୁଖରେ ଥାଇ ହେ
ଦେଉ ଥାଅ ଆଶୀର୍ବାଦ
ମୋର ହାତ ଦୁଇ ସେବା କରୁ ଥାଉ
ତୁମରି ଅଦୃଶ୍ୟ ପାଦ ।
