ସ୍ମୃତି ତୁମେ
ସ୍ମୃତି ତୁମେ
ନିରବ ନିଶୀଥେ ଶୁଭିଗଲା କାନେ
ଏକ ଶୋକଭରା ବାଣୀ,
ସହସା ଚମକି ଉଠିଲା ପରାଣ
ନୟନୁ ବହିଲା ପାଣି।
କେଡେ ଘୋର କାଳ ଥିଲା ସେହି ବେଳ
ଖେଳିଗଲା ଗ୍ରାମେ ଛାଇ,
କାହୁଁ କେତେ ଦୂରୁଁ ଧାଇଁଲେ ଜନତା
ଶେଷ ଦରଶନ ପାଇଁ।
ତୁମ୍ଭ କୀର୍ତ୍ତିରାଜି ମନେ ପଡେ ଆଜି
ହେ, ଗାଆଁ ମଉଡମଣି,
କାହିଁ ଗଲ ଦୂର କରି ସାତପର
ଦୁଃଖ ଦେଇ ଗଲ ଜାଣି।
ଝୁରଇ ମୋ' ଗାଆଁ ଝୁରେ ମାଟି ମାଆ
ତୁମ୍ଭ ଗୁଣ ଗାନ କରି,
କେତେ କେତେ ନେତା କେତେ ଯେ ଜନତା
ନିତି ଏଠି ହ୍ୱନ୍ତି ଝୁରି।
ପର ଉପକାର ଥିଲା ବ୍ରତ ଯା'ର
ଦୁଃଖୀ, ଦୀନ ସେବା ପାଇଁ
ବିରଳ ସେ ଜନ ଉଚ୍ଚ ତାର ମନ
ତା'ସମ କେ' ଅବା କାହିଁ?
ସ୍ୱାର୍ଥ ନାହିଁ ତିଳେ ତା' ଜୀବନ କାଳେ
ପର ଦୁଃଖେ ହୁଏ ଦୁଃଖୀ,
କେତେ କେତେ କ୍ଳେଶ ସହି ସେ ମଣିଷ
ଜୀବନେ ପଡିନି ଥକି!
ନିଜ ଲାଗି ନୁହେଁ ସାଧନା ଯାହାର
କେଡେ ଉପକାରୀ ସେହି,
ଅହିଂସା ଯାହାର ସଦା ଗଳାହାର
ତାଠୁଁ ବଳି ଅଛି କେହି?
କେ' କହଇ ତାରେ ଲଙ୍ଗଳା ଫକୀର
କେ' କହଇ ଗୋପବନ୍ଧୁ,
ଏ ଦୁନିଆ କହେ ସେ ଆଉ କେ' ନୁହେଁ
ସେ ପରା ମାନବ ବନ୍ଧୁ।
କେଡେ ନ୍ୟାୟବନ୍ତ ଥିଲେ ନର ସେତ
କଳନା ଯେ' ତାର ନାହିଁ,
କେତେ ଆଶା ନେଇ ଲୋକେ ଥା'ନ୍ତି ଧାଇଁ
ତାର ପାଶେ ନ୍ୟାୟ ପାଇଁ।
ବିପତ୍ତିର ବେଳେ ଶବ ଦାହ କାଳେ
ବଳେ ବଳେ ଧାଇଁ ଯାଇ,
ହୁଅନ୍ତି ସହାୟ ଜନେ କରି ଥୟ
ଶେଷ ଯାଏଁ ଠିଆ ହୋଇ।
ଚଷା ପାଇଁ ଯା'ର କାନ୍ଦଇ ପରାଣ
ଚାଷ ଯା' ଜୀବନ ସାଥୀ,
ଆଦର୍ଶ କୃଷକ ହୋଇ ସେହି ଲୋକ
ଶ୍ରମ କରେ କ୍ଷେତେ ନିତି।
କେମନ୍ତ ହୋଇବ ମୋ' ଗାଆଁ ପରବ
ତୁମରି ଅନୁପସ୍ଥିତେ,
ଯେତେ ଯାନି ଯାତ ହେଉଥିଲା ସେତ
ତୁମ ପାଇଁ ଶୃଙ୍ଖଳିତେ।
କି' କହିବି ଆଉ ଆହେ ମହାବାହୁ
ତୁମ କଥା ଭାଳି ମନେ,
ତୁମ୍ଭ ଯଶକୀର୍ତ୍ତି ହେବ ଏକ ପୋଥି
ଲେଖିଲେ ଲେଖନୀ ମୁନେ।
ଜଗତର ନାଥ ଜଗନ୍ନାଥ ପାଶେ
ଏତିକି ପ୍ରାର୍ଥନା ମୋର,
ଚିର କାଳେ ତୁମେ ଏଇ ଆମ ଗ୍ରାମେ
ଜନମୁ ଥା' ବାର ବାର।
(କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମାଟିର ବିଶିଷ୍ଟ ଜନ
ନାୟକ ତଥା ସମାଜ ସେବୀ ଗାନ୍ଧିବାଦୀ ନେତା ସ୍ବର୍ଗତ ଦୁଃଶାସନ ମଲ୍ଲିକଙ୍କ ସ୍ମୃତିରେ....
