ଶୁଣିବା ହେଉ, ମଣିମା
ଶୁଣିବା ହେଉ, ମଣିମା
ଶୁଣ ଆହେ ମୋର ଗୁରୁଜନ,
ଭଲ ଭାବେ ଶୁଣ ଦେଇ ମନ;
ଜୀଇଁବା ଯଦି ମୋ ଅଧିକାର,
କେମନ୍ତ ଜୀଇଁବି କୁହ ନର।
ଭବିଷ୍ୟତ ବାରେ ଭାଳି ତିଳେ,
ଜନମ ଦିଅନ୍ତ ମହୀ କୋଳେ;
ବିଷମୟ ଯହିଁ ଏ ଭୁବନ,
କେମନ୍ତ ରହିବୁ ଶିଶୁଗଣ?
ବିକାଶ ନାମେ ଯେ ସ୍ୱାର୍ଥ ପାଇଁ,
କୋଟି ତରୁ ନାଶ କଲ ଯହିଁ;
ସେ ପାଇଁ ବଢଇ ପ୍ରଦୂଷଣ,
ଉତ୍ତର ପିଢିଏ ହେବେ ମଣ।
ହାତ ଯୋଡି କରେ ମୁଁ ଗୁହାରୀ,
କେତେ ଦିନ ହେବା ମାଂସାହାରୀ;
ହେବା ପାଇଁ ଚାହଁ ଶାକାହାରୀ,
ନୋହିଲେ ବିପତ୍ତି ହେବ ଭାରି।
ବିଷ ମହୀ ଆମ ହାତେ ଦେଇ,
ଭାଳିଛ କି?ଚାଲି ଯିବ ତହିଁ;
ମନେ ମନେ ଭାଳି କୁହ ତିଳେ,
କାହିଁ ନାହିଁ ଖୁସି ଶିଶୁ ମେଳେ?
ଶୀତତାପ ନିୟନ୍ତ୍ରଣ କକ୍ଷେ,
ରହି କ୍ଷତି କଲ ଧରା ବକ୍ଷେ;
ସେ'ପାଇଁ ବଢ଼ଇ ନିତି ତାପ,
ତା'ଫଳେ ପ୍ରକୃତି କରେ କୋପ।
ଜଳବାୟୁ ପରିବର୍ତ୍ତନ,
କିମ୍ପାଇଁ ହୁଅଇ ନିତି ଦିନ;
କିସ କର ତୁମେ ସେଇ ବାରେ,
ଭଲେ ଚିନ୍ତା କରି କୁହ ଥରେ।
ବିକାଶ ନାମେ କରି ବିନାଶ,
ଜଗତେ ପାଉଚ କିସ ଯଶ;
ଛାଡି ଦେଇ ଧରା ଅଗ୍ନି ମୁଖେ,
କେମନ୍ତ ଆନନ୍ଦେ ଶୁଅ ସୁଖେ!
ମହୀ କୋଳେ ଯହିଁ ସ୍ଥିତି ନାହିଁ,
ପାଠ ପଢି କିସ ଯଶ ତହିଁ;
କିମ୍ପାଇଁ ନିରବେ ଅଛ ଜନେ,
କିସ କର ତେବେ ଏ ଭୁବନେ?
କେତେ ଆଉ ମିଥ୍ୟା ଥିବ କହି,
ଏ ବଚନ ହୁଏ ନାହିଁ ସହି;
କିମ୍ପା ଦିଅ ମିଥ୍ୟା ଆଶ୍ୱାସନା,
ଯା'ପାଇଁ ବିପତ୍ତି ବଢେ ନାନା।
ଆଡମ୍ବରେ ଯେତେ ଥିବ ରହି,
ବିଶ୍ୱ ତାପ ବଢୁଥିବ ତହିଁ;
ଆପଣାଇ ସରଳ ଜୀବନ,
ଗଢିବା ପୁଣି ନବ ଭୁବନ।
ଲଗାଇବା ଆମେ ଗଛଟିଏ,
ସୁଖ ଦୁଃଖ ସାଥି ଆମ ସିଏ;
ଯତନେ ରଖିବା ତାରେ ଯେତେ,
ଜିଇଁବା ଆନନ୍ଦେ ଆମେ ସେତେ।
