ଜାଗରେ ଉତ୍କଳବାସୀ
ଜାଗରେ ଉତ୍କଳବାସୀ
ଧିକ୍.ରେ ଓଡ଼ିଆ ଶତ ଧିକ୍ ତୋତେ,
ଭୁଲିଲୁ ନିଜ ଗାରିମା,
ଭୁଲିଗଲୁ ପୁଣି ସ୍ଵାଭିମାନ ତୋର,
ଡେଇଁଲୁ ସକଳ ସୀମା l
ମନେ ପକା ସେଇ ପୁରୁଣା ଦିନକୁ,
ନଅଙ୍କ ଦୁର୍ଭିକ୍ଷ କଥା,
କ୍ଷୁଧାରେ ଆତୁର ଦୁର୍ବଳ ଶରୀର,
ନଇଁ ତ ନ ଥିଲା ମଥା l
କାହିଁଗଲା ସାତ ସାଧବ ପୁଅଙ୍କ,
ସମୁଦ୍ରେ ବୋଇତ ଯାତ,
ବେପାର ବଣିଜେ ସମୃଦ୍ଧ କଲେ,
ଉଡାଇ ଉତ୍କଳ ନେତ l
ରାଜଗୁରୁଙ୍କ କାଳଜୟୀ ଯଶ,
ପଡୁ ନାହିଁ କି ତୋ ମନେ,
ଦାସ ଆପଣେଙ୍କ ସ୍ଵରାଜ ପିରତି,
ନାହିଁ କି ତୋହ ସ୍ମରଣେ l
ତୋ ଦେହର ଆଜି ଶିରା ଧମନୀରେ,
ସେ ତପ୍ତ ରକତ କାହିଁ,
ଲାଞ୍ଚ ଭ୍ରଷ୍ଟାଚାର ଅନ୍ୟାୟ ଆଚାର,
ବିରୁଦ୍ଧେ ଲଢ଼ିବା ପାଇଁ l
ଅଙ୍ଗଅଙ୍ଗ ତୋର ଶିଥିଳ ପଡ଼ିଛି,
ଆଳସ୍ୟ ତେଜିଛି କ୍ରମେ,
ମୁକ୍ତ ଚିଜରେ ମୋହ ତୋ ବଢ଼ିଛି,
ଦିଗଭ୍ରଷ୍ଟ ହେଉ ଭ୍ରମେ l
ସ୍ଵାଭିମାନ ତୋର ମାଟିରେ ସଢ଼ୁଛି,
ଅଥର୍ବ ହୋଇଛି ଅଙ୍ଗ,
କହରେ ଓଡ଼ିଆ ତଥାପି ତ କାହିଁ,
ହୋଇନି ତୋ ମୋହଭଙ୍ଗ l
ଶତ ବିଦ୍ରୁପର ନେତ୍ର ତୋ ଦିଗେ,
ବିଶ୍ଵ ଦେଖାଏ ଅଙ୍ଗୁଳି,
ଦୟନୀୟ ଦିଶେ ଜାତିର ଚେହେରା,
ଗର୍ବ ଗୌରବ ଜାଳି l
ପଙ୍ଗୁ ବି ତାର ଜୀବନରେ ଥରେ,
ନିଶ୍ଚେ ଦେଖଇ ସ୍ଵପ୍ନ,
ଲଙ୍ଘିବ ଦିନେ ବିଶାଳ ସାଗର,
କିଣି ନେବ ଜନ ମନ l
ଉଠରେ ଉଠରେ ଉତ୍କଳବାସୀ,
ଉଚ୍ଚ କର ନିଜ ମଥା,
ବିଶ୍ଵ ଦରବାରେ ଦେଖାଇ ଦିଅରେ,
ଦୋହରାଇ ପୂର୍ବ ଗାଥା l
ଜାତିର ଗୌରବ ଜାତିର ସମ୍ମାନ,
ସେ ହେଉ ପ୍ରଥମ କର୍ମ,
ବଜ୍ର ଶପଥ ନିଅରେ ଆଜି,
ବୁଝିବାକୁ ଜାତି ମର୍ମ l
ରଣ ହୁଙ୍କାର ଛାଡ଼ି ତେଜି ଉଠ,
ଗର୍ଜି ସିଂହର ବଳେ,
ତୋଷାମଦୀ ଆଉ ଶୋଷକ ଯେତେକ,
ଦଳି ଦିଅ ପାଦ ତଳେ l
ଥରି ଉଠୁ ପ୍ରାଣ ଭୟରେ ତାହାର,
ଲିଭିଯାଉ ସଇତାନୀ,
ଭ୍ରଷ୍ଟାଚାରର ତମୋଭରା ଦିନ l
ଶେଷ ହେଉ ଏଇକ୍ଷଣି,
ବାଜି ଉଠୁ ପୁଣି ନବ ସୂର୍ଯ୍ୟୋଦୟେ,
ଉତ୍କଳୀୟତାର ବାଜା,
ବିଶ୍ଵରେ ପୁଣି ପ୍ରତିଷ୍ଠିତ ହେଉ,
ଓଡ଼ିଶାର ଜୟ ଧ୍ଵଜା l
ବନ୍ଦେ ଉତ୍କଳ ଜନନୀ
