କ୍ଷୋଭ
କ୍ଷୋଭ
ହଜିଯାଇଅଛି ମଣିଷ ଭିତରୁ ମଣିଷପଣିଆ ଟିକକ
ଅହଂର ଆଧାରେ ବାହାସ୍ଫୋଟ ମାରେ ଦେଖାଏ ବଡ଼ିମା ଯେତେକ
ମୃତ ଶାମୁକାର ଶୂନ୍ୟ ଖୋଳ ନେଇ ମଣିଷ କହେ ମୁଁ ଜୀବିତ
ଅମୂଲ୍ୟ ମୁକ୍ତା ଯେ ହଜାଇ ସାରିଛି କେବେ ବୁଝିବ ତା ମହତ୍ୱ।
ହରାଇଛି ତାର ସ୍ୱାଭିମାନ, ପୁଣି ହରାଇଛି ନିଜ ମୁକତି
ନିର୍ଲ୍ଲଜ ଭାବରେ ବଞ୍ଚିଛି ଗୋଟାଇ ଅନ୍ୟର ଦୟାର ଭିକଟି
ପରାଧୀନତାର ଶୃଙ୍ଖଳ ଭିତରେ ଅଭ୍ୟସ୍ତ ଜୀବନ ଜନ୍ମରୁ
ଡେଣା ଥାଇ ମଧ୍ୟ ଉଡ଼ିବା ଭୁଲିଛି ଫମ୍ପାପଣ ଦିଶେ ଭିତରୁ।
ଭୁଲିଛି ସ୍ୱକର୍ମ, ଭୁଲିଛି ସ୍ୱଧର୍ମ, ପାଶ୍ଚାତ୍ୟ ସଭ୍ୟତା ଅଳିଆ
ଦୁଇ ଦିନ ତଳେ ପ୍ରେମରେ ପଡ଼ିଛି ବ୍ରେକ୍-ଅପ୍ ଲାଗେ ଆଜି ବଢ଼ିଆ
ପିତୃସତ୍ୟ ପାଳି ବନସ୍ତେ ବୁଲିବା, ଅଜ୍ଞାନୀର ଅନ୍ଧବିଶ୍ୱାସ
ରାମକୁ ଭୁଲିଣ ବାବର ଚରିତେ ଖୁସ୍ ଆମ ଦେଶ ଇତିହାସ।
ବେଦଜ୍ଞ ବାଲ୍ମିକୀ, କାଳିଦାସ କବି, ବ୍ୟାସ ଓ ଚରକ, ସୁଶ୍ରୁତ
ପିଲାଙ୍କ ବହିରୁ ଲୋପ ପାଇଅଛି, ଅନେକ ମହାନ୍ ଚରିତ
ଧନ୍ୟ ଆମେରେ ଭାରତବାସୀ, ପୁରାଣ ଆମର ପୁରୁଣା
ବିଜ୍ଞତା ଆମ ଡହ ଡହ ଦିଶେ ବୃଦ୍ଧାଶ୍ରମ ନୂଆ ଠିକଣା।
ରୂପର ମୋହରେ ମାଆଟେ ଭୁଲିଛି ଶିଶୁର ଦରୋଟି ଦୁଷ୍ଟାମୀ
ଆୟାର କୋଳରେ ବଢ଼ୁଛି ଛୁଆଟି ମାଆ ଖୋଜେ ନିତି ନୂଆ ପ୍ରେମୀ
ଅର୍ଥର ପଛରେ ସଭିଏଁ ପାଗଳ ସମୟର ଏଠି ଅଭାବ
ସଂଭୋଗ ତାର ନୂଆ ପରିଚୟ, ଧର୍ଷଣ ତାର ସ୍ୱଭାବ
ହୁତ୍ ହୁତ୍ ହୋଇ ଜଳି ଉଠେ ଦେଖ ମଣିଷର ଯେତେ ସୁଗୁଣ
ଅର୍ଥ, ପଦବୀ, ଅହଂର ନିଶାରେ ବୁଣେ ବୀଜ ଜାତି ପତନ
‘ଶବ’ର ସହରେ ଅସତ୍ୟ ଜାଳୁଛି ସତ୍ୟର ଶେଷ ଜୁଇଟି
ପାରିବ ଯଦି ହେ ଦେଶ ସୁପୁତ୍ର ଦିଅ ଅସତ୍ୟର ବଳିଟି।
ସ୍ୱର ସହ ସ୍ୱର ମିଳାଇ ଗାଅ ହେ ଦେଶମାତୃକାର ସଙ୍ଗୀତ
କର ପରେ କର ରଖି କର ପଣ ରଖିବ ମାର ଇଜ୍ଜତ
ଭୁଲିବ ଅସତ୍ୟ, ଅନାଚାର ଭାବ, ଭ୍ରଷ୍ଟାଚାର ହେବ ସପନ
ତେବେ ସିନା ଆମ ଦେଶ ବୋଲାଇବ ବିଶ୍ୱରେ ନମ୍ବର ୱାନ