STORYMIRROR

Samita Swain

Drama

4  

Samita Swain

Drama

ଇତିରୁ ଆରମ୍ଭ

ଇତିରୁ ଆରମ୍ଭ

2 mins
331

ଇତିରୁ ଆରମ୍ଭ କରୁଛି ମୁଁ ପତ୍ର 

ପ୍ରିୟ ସଖା ତୁମ ପାଇଁ 

ଯେତେବି ଲେଖିଲେ ବାକିରୁହେ କିଛି

ଶେଷ କେବେ ହୁଏ ନାହିଁ।।


ସୁଖ ଦୁଃଖ ଭରା ମୋଜୀବନ ପୃଷ୍ଠା 

ସୁଦୀର୍ଘ କାହାଣୀ ପରି

ସଂଘର୍ଷ ମୟ ମୋ ସଂସାରର ଯାତ୍ରା  

ମୃତ୍ୟୁ ପଥ ସହଚରୀ।।


ଯଜ୍ଞ ବେଦୀ ମାତା ଯାଜ୍ଞସେନ ପିତା

ନାମ ମୋର ଯାଜ୍ଞସେନୀ 

ଧର୍ମ ରକ୍ଷା ପାଇଁ ମୁଁ ଅନଳୁ ଜାତ

ଦ୍ରୁପଦ ରାଜ ନନ୍ଦିନୀ।।


ସଂପତ୍ତି ର ମୋହ ବିଳାସ ଐଶ୍ବର୍ଯ୍ଯ 

କାମନା ମୋର ନଥିଲା

ଖାଲି କୃଷ୍ଣ ନାମ ହୃଦୟ ଭିତରେ

 ଅନ୍ତରାତ୍ମା ଜପୁଥିଲା।।


ପ୍ରିୟ ସଖା ମୋର ହେ ପୁରୁଷୋତ୍ତମ 

ସଂଶୟ ମନେ ଆସଇ

ଆକାଶର କ'ଣ ଆଦି ଅନ୍ତ ଅଛି 

କହିବ ଟିକେ ବୁଝାଇ।।


କିଏ ଚାହିଁଥିଲା ସ୍ବର୍ଗ ଆଉ ରାଜ୍ଯ

କିଏ ଚାହିଁଥିଲା ଯୁଦ୍ଧ 

କି' କାରଣ ପାଇଁ ପୂର୍ଣ୍ଣତା ପ୍ରାପ୍ତିରେ

ପଥ ମୋର ଅବରୋଧ।।


ପାଞପତି ଙ୍କର ପତ୍ନୀ ମୁଁ ପାଞ୍ଚାଳୀ

ପାଞ୍ଚପୁତ୍ର ଙ୍କ ଜନନୀ 

ପୁରୁଷ ଶ୍ରେଷ୍ଠ ସେ ପ୍ରିୟ ସଖା ମୋର

 (ମୁଁ)ଦୌପଦୀ ଦିବ୍ୟ ଦର୍ଶିନୀ।।


ପୁରୁବଂଶର ମୁଁ କୂଳବଧୁ ହେଲି

ହସ୍ତିନାର ରାଜରାଣୀ

ଅବ୍ଯକ୍ତ ଯନ୍ତ୍ରଣା ମୋଜୀବନ ଯାତ୍ରା

ଅଦେଖା କ୍ଷତ କାହାଣୀ।।


ଥିଲି ମୁଁ ବିଦୁଷୀ ଥିଲି ବେଦମତୀ

ଥିଲା ମୋର ଜ୍ଞାନ ତୃଷ୍ଣା 

ସାରା ଜୀବନର ସବୁ ଅଭିମାନ 

ଲେଖୁଛି ସଖା ମୁଁ କୃଷ୍ଣା।।


ସୃଷ୍ଟି ଓ ପ୍ରଳୟ ପ୍ରାରମ୍ଭ ବିଲୟ

ଆରମ୍ଭ ର ଶେଷ ଥାଏ

ଯେଉଁଠାରୁ ଆସେ ସେଇଠିକୁ ପୁଣି

ଦେହ ଛାଡି ଜୀବ ଯାଏ।।


ଜନ୍ମ ଠାରୁ ମୃତ୍ୟୁ ସହିଲି ଯାତନା

ଲାଞ୍ଚନା କଷଣ ଯେତେ

ଏ 'କି ବିଡମ୍ବନା ମୋ ଭାଗ୍ୟରେ ଲେଖା

ସୃଷ୍ଟି ର ରହସ୍ୟ ସତେ...?


ତିଳ ତିଳ ଜାଳି ନିଜ ଜୀବନକୁ

ପାଞ୍ଚ ପତିଙ୍କୁ ବରିଲି

ବିଭକ୍ତ ହୋଇ ମୁଁ ଅବିଭକ୍ତ ଦୁଃଖ 

ଲୁହକୁ ନିତି ପିଇଲି।।


ଯେତେସବୁ ଦୋଷ ମୋ ଉପରେ ଲଦି

ମୃତ୍ୟୁ ଦ୍ବାରେଛାଡିଦେଇ

ଆହାବୋଲି ଥରେ କହିବାକୁ କେହି

ପଛକୁ ଚାହିଁଲେ ନାହିଁ।।


ଭୋଗ ପାଇଁ ପରା ଜୀବନ ନୁହଁଇ

ଭାବ ପାଇଁ ହୋଇଥାଏ

ସତ୍ତ୍ବ ,ରଜ,ତମ ତ୍ରିଗୁଣ ଶକ୍ତିରେ

ଜୀବାତ୍ମା ବି ବନ୍ଧା ହୁଏ।।


ଅଦମ୍ଯ ସାହସ ଶକ୍ତି ଓ ଧୈର୍ଯ୍ଯର 

ମାର୍ଗ ଦର୍ଶକ ହେ ମୋର

ପାଇଲି ମୁଁ କ'ଣ ହରାଇଲି କ'ଣ

ଏକଥା ବିଚାର କର।।


ତୁମେ ଇଛାମୟ ତୁମରି ଇଛାରେ

ଚାଲିଲି ଜୀବନ ସାରା

ମୋର ଆର୍ତ୍ତସ୍ବର କାଇଁ ଅଗୋଚର

ମାଆ ମୁହିଁ ପୁତ୍ର ହରା।।


ଅହଂକାର ଶୂନ୍ଯ ହୋଇ ଏ ଧରାରେ 

କେହି କ'ଣ ରହିପାରେ

ପ୍ରିୟ ସଖା ମୋର ହେ ମଧୁସୂଦନ 

କୁହ ଅନ୍ତିମ ବେଳରେ।।


କୁରୁ ସଭା ତଳେ ବିବସନା ବେଳେ 

କେତେ ଅସହାୟ ହେଲି

ଲଜ୍ଯା ତ୍ଯାଗ କରି ଦୁଇହାତ ଟେକି

ତୁମକୁ ମୁଁ ଡାକିଥିଲି।।


ଆତୁର ପ୍ରାର୍ଥନା ଶୁଣି ଦୁଃଖ ହାରି

ମାନ ମୋର ରକ୍ଷାକଲ

ମହା ବିପତ୍ତିରେ କୋଟିବସ୍ତ୍ର ଦେଇ 

ଚିର ଋଣି କରିଦେଲ।।


କେତେ କେତେ ବ୍ଯଙ୍ଗ ବିଦ୍ରୁପ ସହିଲି 

ଅପବାଦ ମୁଣ୍ଡାଇଲି

ଜୀବନ ସଂଗ୍ରାମେ ପ୍ରେରଣା ସାଜିକି

ଅଜ୍ଞାତ ବାସ ମୁଁ କଲି।।


ଇଶ୍ବର କରନ୍ତୁ କେହି ନ ଭୋଗନ୍ରୁ

ମୋପରି ଲାଞ୍ଚନା କେବେ

ଅନ୍ଯାୟ ଅଗ୍ନିରେ ଜଳି ନ ଯାଆନ୍ତୁ 

କୌଣସି ନାରୀ ଏ ଭବେ।।


ହୃଦୟ ରୁଧୀରେ ଲେଖୁଛି ମୁଁ ପତ୍ର 

ପଢିନେବ ପ୍ରିୟ ସଖା

ପ୍ରାର୍ଥନା ଏତିକି ସବୁ ଜନ୍ମ ପାଇଁ 

ତୁମ ସହ ହେଉ ଦେଖା।।


ଇତିରୁ ଆରମ୍ଭ କରିଥିଲି ପତ୍ର  

ସମାପ୍ତ କଲି ଇତିରେ

"କୃଷ୍ଣ" ଆଉ "କୃଷ୍ଣା"ଶାଶ୍ବତ ସଂପର୍କ 

ଝଙ୍କୃତ ହେଉ "ପ୍ରେମରେ"।।

   ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତି ।।


Rate this content
Log in

Similar oriya poem from Drama