ହୁତୁହୁତୁ ଜଳୁଛି
ହୁତୁହୁତୁ ଜଳୁଛି
କବିତା - ହୁତୁହୁତୁ ଜଳୁଛି
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୧୨-୨୦୨୫
+++++++++++++++
ଜଳିଛି କେତେ
ଏବେ ବି ହୁତାସନ ସମ ହୁତୁହୁତୁ ଜଳୁଛି
କୁହୁଳିଛି କେତେ
ଏବେ ବି ଧୂଆଁପରି କୁଣ୍ଡଳିମାରି କୁହୁଳିଛି
ମନେ ନାହିଁ ବୋଲି କହିବି କିଆଁ
ଗୋଟି ଗୋଟି ହୋଇ ଗଣୁଛି ହିଆ
ସବୁ ଜଳ ଜଳ ତରଳ ଗରଳ ପିଇ ଚାଲିଛି
ସବୁ ଚେଙ୍କ ଚିଆଁ ଲୋମ କୋପେ ବାନ୍ଧି ରଖିଛି
ଏବେ ବି ହୁତାସନ ସମ ହୁତୁହୁତୁ ଜଳୁଛି --୧
ଜୀବନ ଅଛି ମାନେ ଯନ୍ତ୍ରଣା ଅଛି
ଯୌବନ ଅଛି ମାନେ ମନ୍ତ୍ରଣା ଅଛି
ସହି ନାହିଁ ବୋଲି କହିବି କିଆଁ
କରି ନାହିଁ ବୋଲି ହାଙ୍କିବି କିଆଁ
ସବୁ ପଙ୍କିଳ ଜଟିଳ ପଦ୍ଧତି ଡେଇଁ ଚାଲିଛି
ସବୁ ମନତନ୍ତ୍ରୀରେ ସଜେଇ ପଜେଇ ରଖିଛି
ଏବେ ବି ହୁତାସନ ସମ ଦୁତୁହୁତୁ ଜଳୁଛି-୨
ହୃଦୟ ଅଛି ମାନେ ଅର୍ପଣ ଅଛି
ସମୟ ଅଛି ମାନେ ତର୍ପଣ ଅଛି
ମନ ଦେଇନାହିଁ ବୋଲି କହିବି କିଆଁ
ପ୍ରେମ କରିନାହିଁ ବୋଲି ଛିଙ୍କିବି କିଆଁ
ସବୁ ବାଧା ବନ୍ଧନ ଲକ୍ଷ୍ମଣରେଖା ଭିତରେ ଅଛି
ସଂସ୍କାର ଅହଙ୍କାର ମଝିରେ ତେଢ଼ା ମେଢ଼ା ବଂଚିଛି
ଏବେ ବି ହୁତାସନ ସମ ହୁତୁହୁତୁ ଜଳୁଛି-୩
ଦେହ ଦେହଳୀ ଅଛି ମାନେ ମୋହ ଅର୍ଗଳୀ ଅଛି
ମନ ପବନ ଅଛି ମାନେ ତନ ଚୈତନ ଚେଇଁ ଶୋଇଛି
ଭାବନାରେ ଭାସି ନାହିଁ ବୋଲି କହିବି କିଆଁ
କାମନାରେ ତରଳିନାହିଁ ବୋଲି ରାବିବି କିଆଁ
ସବୁ ଚେତନା ବେଦନା ତଳେ ଆଶାବତୀ ଜଳୁଛି
ସଞ୍ଜ ସଳିତା ଭଳି ଜଳି ଜଳି କହୁଛି ରହିଛି ବଞ୍ଚିଛି
ଏବେ ବି ହୁତାସନ ସମ ହୁତୁହୁତୁ ଜଳୁଛି -୪
