ସେ ଭଡାଏ ମାଟିରେ
ସେ ଭଡାଏ ମାଟିରେ
କବିତା - ସେ ଭଡାଏ ମାଟିରେ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୧୨-୨୦୨୫
++++++++++++++++
ପ୍ରତିଥର ଗାଁକୁ ଗଲେ
ସେ ଭଡାଏ ମାଟିରେ ଥରେ ପାଦ ପଡିଗଲେ
ଏମିତି କ'ଣ ଥାଏ କେଜାଣି
ଚେତନା ମୋର ଘଟ ଘୋଡେ
ଉଜାଣି ମାଡ଼େ
ସବୁ ମୋହ ମାୟାର ବନ୍ଧନରୁ ମୁକୁଳି
ଅନ୍ତିମ ଆଶ୍ରୟଟେ ଲୋଡ଼େ
ନୀଡ଼ ଫେରନ୍ତା ଚଢ଼େଇ ପରି ଖୁସି ଡେଣା ଖୋଲେ
ପ୍ରତି ଛୁଟିରେ ଗାଁକୁ ଗଲେ
ସେ ଅରାଏ ମାଟି ଉପରେ ଥରେ ଚାଲିଗଲେ
ଏମିତି କ'ଣ ଥାଏ କେଜାଣି
କରୁଣା ମୋର ଘଟ ଘୋଡେ
ଫୁଟାଣି ଛାଡ଼େ
ସବୁ ଲୋଭ ଇର୍ଷାର ଗଣ୍ଠିଲିରୁ ହୁଗୁଳ
ନିର୍ଭୟ ଆଶ୍ରୟଟେ ଲୋଡ଼େ
ଘୁମନ୍ତ ପରିବ୍ରାଜକ ପରି ମୁକ୍ତିର ସଂଗୀତ ବୋଲେ
ଗ୍ରୀଷ୍ମବକାଶରେ ଗାଁକୁ ଗଲେ
ସେ ଧୂଳୀ ଧରଣୀରେ ପାଦ ଥାପି ଦେଲେ
ଏମିତି କ'ଣ ଥାଏ କେଜାଣି
ଆପଣାପଣ ମୋର ଘଟ ଜାବୋଡ଼େ
ସାପ କାତି ଛାଡିବା ପରି କୃତ୍ରିମତା ଛାଡ଼େ
ସବୁ ଆତ୍ମ ବଡିମା ପବନାଗୁଣରୁ ସନ୍ତୁଳି
ଶାନ୍ତିର କୁଟୀର ଲୋଡ଼େ
ବାରବୁଲା ବାବୁଲା କାବୁଲା ମନେ ଆତ୍ମୀୟତା ମେଲେ
ଦଶହରା ଛୁଟିରେ ଗାଁକୁ ଗଲେ
ସେ ମୁଠାଏ ମାଟିରେ ପାଦ ଛୁଇଁଦେଲେ
ଏମିତି କ'ଣ ଥାଏ କେଜାଣି
ବଂଶ କୂଳ ଆଭିଜାତ୍ୟ ଘଟରେ ମୋଡ଼େ
ରକ୍ତ ସଂପର୍କର ମହନୀୟତାର ମୀନାର ଗଢେ
ସବୁ ଲାଞ୍ଚ ପେଞ୍ଚ ପ୍ରପଞ୍ଚର କାଳିମା ଛାଡି
ଛ'ଖଣ୍ଡ କାଠର କୋକେଇ ଜୋଡ଼େ
ମଧୁମୟ ସୁଧାମୟ ଅମୃତମୟ ଜୀବନ ଚାଲିଶା ଗାଇବୁଲେ
ଗାଁରୁ ଫେରିଲେ
ପଛକୁ ଫେରି ଅନେଇ ଦେଲେ
ସେ କଠାଏ ମାଟିରୁ ପାଦ ହଟିଗଲେ
ଏମିତି କ'ଣ ଥାଏ କେଜାଣି
କାନ୍ଦ କାନ୍ଦ ଲାଗେ କେତେ ଦିନ କେଜାଣି
ଘର କଥା ମନେ ପଡେ ବିନାନୁମତିରେ ଉଜାଣି
ଚାକିରି ବାକିରି ରୋଜଗାର ଛାଡି
ଜନ୍ମମାଟିର ସେବା କରିବାକୁ ଅଣ୍ଟା ଭିଡ଼େ
ଗାଁ ମସାଣୀରେ ଜଳିବି ଦିନେ ର କଟୁସତ୍ୟ
ଛୋଟ ମୋର ଗାଁ ଛୋଟ ମୋର ନାଆରେ ପାଲ ତଉଲେ
