ହଜିବି ମଜ୍ଜିବି କଳ୍ପି ତୁମକୁ
ହଜିବି ମଜ୍ଜିବି କଳ୍ପି ତୁମକୁ
ସେ ବଂଶୀରେ ଥିଲା ନିଃଶବ୍ଦ ନିଃଶ୍ୱାସ
ମୃଦୁ ମାଦକତା
ଦିବ୍ୟ ଚେତନା ।
ତା'ସ୍ଵନରେ ଥିଲା ଶବ୍ଦ ସମ୍ମୋହନ
ଦର୍ପ ଦଳନର
ପୂର୍ଣ୍ଣ ପ୍ରେରଣା ।
ନିଷ୍ଠା ନୈବେଦ୍ୟର ବଳିଷ୍ଠ ପୌରୁଷ
ପୁଣ୍ୟ ପରମ୍ପରା
ରମ୍ୟ ରାଗିଣୀ ।
ଆତ୍ମ ବିଶ୍ୱାସର ଆତ୍ମୀୟ ଭାବନା
ଅର୍ଯ୍ୟାବର୍ତ୍ତ ଅର୍ଘ୍ୟ
ତୀର୍ଥ ତ୍ରିବେଣୀ ।
ହେ ସଖା, ଶ୍ରୀକୃଷ୍ଣ କାହିଁ ଗଲା ସେଇ
ଲୀଳାମୃତ ଲବ୍ଧ
ତୁମରି ହସ ?
ହସରେ ହସରେ ଓଠରୁ ତୁମରି
ଧରା ହେଉଥିଲା
ଧର୍ମ ସର୍ବସ୍ୱ ।
ତୁମରି ହସକୁ ଅନୁଭବିଥିଲେ
ପାର୍ଥ ପରାକ୍ରମୀ
ସ୍ୱୟଂ ଅର୍ଜୁନ ।
ସେଇଥି ପାଇଁ ସେ ତୁମରି ନିର୍ଦ୍ଦେଶେ
ଧର୍ମର ଗାଣ୍ଡିବ
କଲେ ଧାରଣ ।
ସେ ବଂଶୀ ସ୍ଵନରେ କି ମାଦକ ଥିଲା
ଶ୍ରୀରାଧା ତୁମଠି
ଥିଲେ ଅର୍ପିତା ।
କାହିଁ ଗଲା ସେଇ ପୁଣ୍ୟ ପ୍ରୀତି ଆଉ
ହୃଦୟ ଗୀତିର
ଶାସ୍ତ୍ର ସଂହିତା !
ମିଳନେ ମିଳନେ ମୈତ୍ରୀ ଓ ମମତା
ବିରହେ ବିରହେ
ଆକଣ୍ଠ ପ୍ରେମ ।
ବନ୍ଧନେ ବନ୍ଧନ ଆବିଳତା ନୁହେଁ
ହୃଦୟ ହୃଦୟ
ମହା ମିଳନ ।
ନାହିଁ ଗୋପପୁର ନାହିଁ ସେ ଦ୍ଵାପର
ନାହିଁ ସେ କଦମ୍ବ
କାହିଁ ବା ରାଧା !
ଯମୁନା ରହିଛି ବହୁଛି, ଝୁରୁଛି
ସେ ବଂଶୀ ସ୍ଵନରେ
ପଡିଛି ବନ୍ଧା ।
ମୁଁ ନୁହେଁ ଶ୍ରୀରାଧା ନୁହେଁ ମୁଁ ଅର୍ଜୁନ
ତଥାପି ଖୋଜୁଛି
ତୁମ ବଂଶୀକୁ ।
ହଜିବି ହଜିବି ମଜ୍ଜିବି ମଜ୍ଜିବି
ତା'ଶୂନ୍ୟ ସ୍ଵନରେ
କଳ୍ପି ତୁମକୁ ।
