ମୃତ୍ୟୁର ଡ଼ାକ
ମୃତ୍ୟୁର ଡ଼ାକ


କେବେ ଶୁଣିଛନ୍ତି କି କାନ ଡ଼େରୀ
ନିଜ ମୃତ୍ୟୁର ଡାକକୁ
ଜୀବନର ଚରମ ସତ୍ୟକୁ କେବେ
ହୃଦୟର ସହ ଆପଣାର
କରିବାକୁ କରିଛନ୍ତି କି ଚେଷ୍ଟା
ପ୍ରତି ମୁହୁର୍ତ୍ତରେ ନିକଟରୁ ନିକଟତର
ହେଉଥିବା ମୃତ୍ୟୁକୁ
ସ୍ନେହରେ କେବେ ଆଲିଙ୍ଗନ କରିବାର
ନିର୍ଭୀକତା ଉଦ୍ରେକ ହୋଇଛି କି ମନରେ
ସତ କହିବାକୁ ଗଲେ
ଜୀବନର ଏକ ଅପରିବର୍ତ୍ତନୀୟ ସତ୍ୟ
ହେଉଛି ମୃତ୍ୟୁ
କେବଳ ମୃତ୍ୟୁ
କ'ଣ ଜୀବନର ଏ ମିଛ ବନ୍ଧନ
ବେଶୀ ଦିନ ପର୍ଯ୍ୟନ୍ତ ଦୂରେଇ ରଖିପାରିବ
ମୃତ୍ୟୁର ଶୀତଳ ସ୍ପର୍ଶକୁ
ଜୀବନର ଦୂର ଦିଗ୍ ବଳୟ ଧାରେ
ଭାରାକ୍ରାନ୍ତ ଏକ ଅପରାହ୍ନ ପରେ
ପ୍ରେୟସୀ ଭାବେ ଶୃଙ୍ଗାର ରଚି
ଅତ
ି ନିକଟରେ ମୃତ୍ୟୁ ଡାକେ ଆସି
ସବୁ ମିଛ ପ୍ରତିଶ୍ରୁତି ଓ ପ୍ରତାରଣାର
ଅନ୍ତ ଘଟାଇ
ପ୍ରେମିକାପଣରେ ନିଜକୁ ସଜାଇ
କୋଳେଇ ନେବାକୁ ସଭିଁଙ୍କୁ
ନିଜର ଭାବେ
ଆସିଛି ମୃତ୍ୟୁ ଜୀବନେ ଅତି ନୀରବେ
ମୃତ୍ୟୁର ଡ଼ାକକୁ ଆଉ କେତେ ବା
ପ୍ରତ୍ୟାଖାନ କରିଚାଲିଥିବ
ଦିନେ ନା ଦିନେ ତ ଧରିବାକୁ ପଡ଼ିବ ହିଁ
ମୃତ୍ୟୁର ଅନାବିଳ ସ୍ନେହର ପଣତ
ଥରେ ହୃଦୟର ସହ ଭଲପାଇବାକୁ
ଚେଷ୍ଟା ତ କର ମୃତ୍ୟୁକୁ
ଥରେ ମାତ୍ର ଦମ୍ଭର ସହ ସାମ୍ନା କର
ମୃତ୍ୟୁର ଡ଼ାକକୁ
ଜୀବନରେ ଚିର ଶାନ୍ତି ଭରି
ମୃତ୍ୟୁ ଶୁଆଇଦେବ ଆନନ୍ଦ ନିଦ୍ରାରେ
ସବୁ ଦୁଃଖ ଯାତନାକୁ ନିଜର କରି
ମୃତ୍ୟୁ କୋଳେଇ ନେବ ପ୍ରଶାନ୍ତ ଚିତ୍ତରେ