ହେ ସଖା
ହେ ସଖା
ହେ ସଖା
ତମେ ତ ସଚ୍ଚିଦାନନ୍ଦ
ତମ ଲୀଳା ତ ସର୍ବଦା ଚିନ୍ମୟ ଓ ଦିବ୍ୟ,
ତାହାହେଲେ କହିପାରିବ ହେ କୃଷ୍ଣ
ତମର ଆହ୍ଲାଦିନୀ ଶକ୍ତି ହୋଇ ମଧ୍ୟ
ମୁଁ କାହିଁକି ସର୍ବଦା
ସମସ୍ତଙ୍କ ମାନସ ପଟରେ ଏକ ଚରିତ୍ରହୀନା କଳଙ୍କିନୀ ।
କି ଦୋଷ ମୁଁ କରିଥିଲି ତମ ପାଖରେ?
ତମ ମୁରଲୀ ସ୍ବନ ମୋତେ
ସର୍ବଦା ଅଧିର କାହିଁକି କରୁଥିଲା?
ମୁଁ ମୁଗ୍ଧ ଥିଲି ତମ ପ୍ରେମରେ
ମୁଁ ଚାହୁଁ ଥିଲି ମୋ ହୃଦୟର
ଅପ୍ରକଟ ପ୍ରେମକୁ
ତମେ କୃପା ପୂର୍ବକ ପ୍ରକଟିତ କରିବ।
ମୁଁ ତ ମନ ପ୍ରାଣ ଆତ୍ମାରେ
ମୋ ରୋମ ରୋମରେ ଚାହୁଁ ଥିଲି
କେବଳ ଶ୍ରୀକୃଷ୍ଣ ମୟ ହୋଇଯିବା ପାଇଁ ।
ଏ କଣ ମୋର ଅପରାଧ
କାହିଁକିଏତେ ଲାଞ୍ଛନା ମୋରି ଭାଗ୍ୟରେ ଥିଲା ?
ତମକୁ ପ୍ରେମ କରିବା କଣ ମୋରି ଇଛାରେ ହୋଇଥିଲା ସଖା?
ତମେ ପରା ଇଛାମୟ
ତମ ବିନା ଇଛାରେ
ଏ ସାରା ବିଶ୍ଵ ବ୍ରହ୍ମାଣ୍ଡରେ
କାହାରି ହୃଦୟରେ କିଛି ଇଛା
ପ୍ରକାଶ କଣ ହୋଇପାରେ ?
ତମେ ତ ଚାହୁଁ ଥିଲ ମୁଁ ତମ ପାଖରେ
ପୂର୍ଣ୍ଣ ସମର୍ପିତ ହୋଇ ରହେ।
ମୁଁ ତ ସାଧନାରେ ବ୍ରତୀ ଥିଲି,
ମୁଁ ତ ସେହି ପରମ ପୁରୁଷ
ସର୍ବ ଶକ୍ତିମାନ ବୃନ୍ଦାବନ ଅଧୀଶ୍ଵର
ଙ୍କ ପାଦ ପଦ୍ମରେ ଲୀନ ହୋଇ
ଯୁଗ ଯୁଗ ଧରି
ତାଙ୍କ ଶରୀରର ଅଂଶ ବିଶେଷ ହୋଇ
ରହିବା ପାଇଁ ଚାହୁଁ ଥିଲି ।
ପୂର୍ବରୁ ତମର ବିଚ୍ଛେଦ
ତମର ବିରହ ବହୁତ ସହିଛି
ସହିବାର ସୀମା ସରହଦ
ଟପି ଗଲାପରେ ମୁଁ ହେଲି
ସାଧନାରେ ମଗ୍ନ।
ତମ ବଂଶୀ ସ୍ବନ ଥିଲା
ମୋ ପାଇଁ ଅନାହତ ନାଦ।
ତମ ବରଦାନ ଥିଲା ବୃନ୍ଦାବନ ରେ ରାସ,
ତମ ସହିତ ମୋର ରାସ ଲୀଳା
ନ ଥିଲା ଦୈହିକ ପ୍ରେମର
କାମକଳୁଷିତ ରାସ
ସେ ଥିଲା ମୋ ତପସ୍ୟାର ମୋ ସାଧନାର
ସମାଧିସ୍ଥ ତଲ୍ଲିନ ଆହୋସ।
ତମେ ତ ଥିଲ ମୋ ନିଃଶ୍ବାସ ର ନିଶ୍ଵାସ
ତମେ ତ ଥିଲ ମୋ ହୃତପିଣ୍ଡ ର ପିଣ୍ଡ
ତମ ସହିତ ମୋ ଶାରୀରିକ
ମୁଦ୍ରା ଥିଲା ପ୍ରାର୍ଥନା ର ମୁଦ୍ରା ।
ସେ କଦମ୍ବ ସେ ଯମୁନା
ସେ ତପୋ ଭୂମି ବୃନ୍ଦାବନ
ସେ ଗୋପାଙ୍ଗନା ସୋ ଗୋପ ବାସୀ
ସବୁ ତ ଥିଲେ ତମ ପ୍ରେମର ପୂଜାରୀ,
ହେଲେ କହି ପାରିବ
ହେ କଦମ୍ବ ମୁଳିଆ କାହ୍ନା
କି ଦୋଷ ରହିଗଲା ମୋ ପ୍ରେମରେ
ମୁଁ କାହିଁକି ବଦନାମ ଆଜି
ଏ ବିଶ୍ଵ ବ୍ରହ୍ମାଣ୍ଡର ଦାଣ୍ଡରେ ?
ଏ କଳି କଳୁଷିତ ମାନବ ଆଜି ବି ବୁଝିପାରେନା ରାସଲୀଳା ଥିଲା
ଅପ୍ରାକୃତ ପ୍ରେମ ବୋଲି।
ମଥୁରା ଯିବାର ପୂର୍ବରୁ
ଶ୍ରୀରାଧା ତ ଅଧିମାନସ ଯୋଗରେ
ସମାଧିସ୍ଥ ହୋଇ ତଲ୍ଲିନ ହୋଇସାରିଥିଲା
ତାର ପ୍ରେମ ମୟ ପ୍ରଭୁ
ମୁରଲୀ ଧରଙ୍କ ରଙ୍ଗାପୟରେ।
ତାର ଅସ୍ତିତ୍ବ ତ ନିଶ୍ଚିହ୍ନ ହୋଇଯାଇଥିଲା
ସେହି ଯମୁନାର ନୀଳ ଜଳରେ।
ଲୋକେ ଆଜି ବି କୁହନ୍ତି ତମେ ତାକୁ
ପ୍ରେମ କରି ଛାଡି ଚାଲିଗଲ ଗୋପ ଦାଣ୍ଡରେ।
ହେ କଳା ବଦନ ହେ ଚକାଡୋଳା
ହେ ମୋର ପ୍ରାଣ ପ୍ରତିମ ଜଗନ୍ନାଥ
ତମେ ମୋର ସଖା ହୋଇ ଯଦି
ନ ପୋଛିବ ମୋ ମଥାରୁ ଏ କଳଙ୍କ
ମୁଁ ଆଉ କହିବି କାହାକୁ ?
ଶୁଣିବ କିଏ ?