ଭୋକ
ଭୋକ
ଅନେକ ତ ଜଳୁଥିବା
ପେଟର ନିଆଁରେ
ମନ ଭରି ଦାନାରେ ,
ସଁ ସଁ କରି ଲିଭାନ୍ତି ନିଆଁକୁ
ଓଡି ମାରି ପାଣି ହାତ ଥାପନ୍ତି
ଏ ନାଭିର ମୂଳରେ ।୧।
ଯନ୍ତ୍ରଣାଟା ଭାରି ଚିହ୍ନା
ସେ ଭିତରେ ଭିତରେ
ଏ ନାଭିର ପାଖରେ ,
କେଁ କେଁ ନିସ୍ତବ୍ଧତା ଭିତରେ ବି
ଝରାଏ ସେ ଲୁହ ଦୁଇ ଟୋପା
କି ! ବିକୃତ ଚିତ୍କାରରେ ।୨।
ଭବିଷ୍ୟତ ଭସ୍ମ ଯାର
ଗହଳି ଫୁଟପାଦରେ
ରେଳ ଷ୍ଟେସନ କଡ଼ରେ ,
ଧୂଳି ଧୂସରିତ ଟିକି ପାଦ
ବେପରୁଆ ହୋଇ ଚାଲିଥାଏ
ଦାନାର ସନ୍ଧାନରେ ।୩।
ପ୍ୟାଣ୍ଟ୍ ଥିଲେ ସାର୍ଟ ନାହିଁ
ଗୋଟିଏ ସେ ଶରୀରରେ
ବାସ୍ ... ମାତ୍ର ସେତିକିରେ ,
ନୁଖୁରା ସେ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ
ପୋଛି ହୁଏ ମୁହଁର ଗ୍ଳାନିକୁ
ପରିତ୍ୟକ୍ତ ବସନରେ ।୪।
ବୋଧେ ବେବାପୁଡା ପିଲା
ଆଉ ଗୋଟେ ମାର କୋଳରେ
ଗଣ୍ଠିଲିଟେ ମାର ମୁଣ୍ଡରେ ,
ଏଠି ସେଠି କୋଣେ ବସିଯାନ୍ତି
ଥକ୍କା ମାରି କାହାକୁ ଜଗନ୍ତି ଯେ !
ଭରି କ୍ଳାନ୍ତ ସେ ଚକ୍ଷୁରେ । ୫।
ହୁଏ ଯାଇ ନସର ପସର
କେବେ ଚା ଦୋକାନରେ
ହୋଟେଲ ଆଗରେ ,
ଗୋଟେ ପାଉଁରୁଟି ଅବା ଶାମସା
ଲିଭାଇବ ପେଟ ନିଆଁ
ଚାହେଁ ନିର୍ଲିପ୍ତ ଆଖିରେ । ୬ ।
ତାର କି ସ୍ଵପ୍ନକୁ ପରବାୟ
ହଜିଯାଏ ଗହଳିରେ
ଅମଣିଷ ସଭ୍ୟତାରେ ,
ବଞ୍ଚିବାକୁ ସଂଘର୍ଷ ଯାର
ପଞ୍ଜରା ଲୁଚାଇବାକୁ
ପ୍ରତି ଆଠ ଘଣ୍ଟାରେ । ୭।
ଗରାଖଙ୍କ ଭିଡରୁ ଦୋକାନୀଟା
ଟିକେ ଫୁରସତରେ
ଯଦି ଅବା ଚାହେଁ ଥରେ ,
ଗୋଟେ କୁକୁରକୁ ଫୋପାଡେ
ଆଉ ଗୋଟେ ପିଲାଟିକୁ
ସେ ବଢାଏ ହାତରେ । ୮ ।