STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ହାଉ ପଳେଇବ

ହାଉ ପଳେଇବ

1 min
169


ଯେଉଁ ଟମାଟର ଗତ ହାଟପାଳି 

    ପଞ୍ଚସ୍ତରୀ ଛୁଇଁଥିଲା,

ଏ ପାଳିରେ ଦେଖ ଚାଳିଶିହୋଇଲା

     ଭାଉ ତାର କମିଗଲା।


ଏମିତିତ ପ୍ରତି ଜିନିଷର ଭାଉ

     ପ୍ରତିକ୍ଷଣେ ବଦଳୁଛି

ଆଜି ଯାର ଭାଉ ଆକାଶ ଛୁଇଁଛି

     କାଲି ବି କମିଯାଉଛି।


ଏଇତ ଜୀବନ ଏ ସଂସାର ହାଟେ

     ବାଟଟି ତଳ ଉପର,

ଆଜି ଯିଏ ରାଜା କାଲି ସେ ଫକିର

     ବିଚିତ୍ର ଏହି ସଂସାର।


କାହା ଭାଉ ଏଠି କେବେ ବଢିଯିବ

     କେବେ ପୁଣି କମିଯିବ,

ଯ'ରେ ଜନମ‌ ମ' ରେ ମରଣ

     ଏ ଦୁଇ ପରା ବାସ୍ତବ।


ପରିବର୍ତ୍ତନ ତ ସଂସାର ନିୟମ

     ଆଜି ଦିନ କାଲି ନାହିଁ,

ତେଣୁ ସୁଖଦୁଃଖ ହାତ ଧରି ପଥ

     ଚାଲିବାକୁ ହେବ ଭାଇ।


ହେଉ କୋଟିପତି କିମ୍ବା ରୋଡ୍‌ପତି

      ମଲାପରେ କିନ୍ତୁ ଏକ,

ଶବ ବୋଲି ମାତ୍ର ଦୁଇଟି ଅକ୍ଷର

      ଜାଣିବ ସାରା ଜଗତ।


ଆସିଲା ବେଳରେ ଲଙ୍ଗଳା ଆସିଲେ

      ଯିବା ପୁଣି ଖାଲି ହାତେ,

ଆତ୍ମୀୟ ସ୍ଵଜନ‌ ପ୍ରିୟ ପରିଜନ

      ଯିବେ କିବା ଆମ ସାଥେ?


ଯିଏ ଅର୍ଜିଥିଲା ଅଜସ୍ର ସମ୍ପତ୍ତି

      ତା' ପାଇଁ ଦି'ହାତେ ମାଟି,

ଯିଏବି ଦରିଦ୍ର ଥିଲା ଭୂମିହୀନ

      ତା'ପାଇଁ ଦି' ହାତେ ମାଟି ।


ଦି'ହାତ ମାଟିର ମାଲିକ ବୋଲାଇ

      ବଡିମା‌ ଦେଖାଇବାରେ,

କେଉଁ ଫଳ ଏଠି ମିଳିବ ବାବୁରେ

      ଦେହୁଁ ଜୀବ ଛାଡ଼ିଗଲେ?


ମୋରମୋର ବୋଲି ଯାହାକୁ କହିବା

      ସିଏବି ହାତ ଛାଡ଼ିବ,

ଅଢେଇଦିନର ଆୟୂଷକୁ କାହିଁ

     ଏତେ ବିଶ୍ଵାସ କରିବ?


ମୁଁ ବଡ଼ ବାବୁ ତାକୁ ଛୋଟ ଭାବୁ

      କେଉଁ ପ୍ରାର୍ଥକ୍ଯକୁ‌ ନେଇ,

ଏ ଭବ ସଂସାରେ ଧନ ଯ‌ଉବନ

      ମାତ୍ର ଦୁଇଦିନ ପାଇଁ।


କାହିଁ ପାଇଁ ମନ କରୁଏତେ ଟାଣ

      ଦେଖାଉଛୁ ପୁଣି ଭାଉ,

ହାଉ‌ ପଳେଇଲେ‌ ଭାଉ ଛାଡିଯିବ

      ଭାଗ୍ୟଟି ସାଧିବ‌ ଦାଉ।


ମୁଁ'ବୋଲି ଆଉ ନ ଥିବ ସେବେଳେ‌

      ଓଁ' ରେ ମିଳେଇଯିବ,

ମର୍ତ୍ତ୍ୟରେ ଜନମ‌ ହୋଇଲେ ଦେବତା

      ଅବଶ୍ୟ ଦିନେ ମରିବ।


ମରଣକୁ ସଦା ସ୍ମରଣ କରିଲେ

      ମୃତ୍ୟୁ ଡରେଇ‌ ନ ପାରେ,

ସତ୍ୟ ପଥେ ଗଲେ ଦୁନିଆଁ ଦିଶିବ‌

      ସୁନ୍ଦର ଏ ନେତ୍ରଡୋଳେ। 


ତେଣୁ ଆରେ ମନ କର ଗଣ୍ଠିଧନ

      ଏକା ସେହି ରାମ ନାମ,

ରାମ ନାମ ସତ୍ୟ ହରିନାମ ସତ୍ଯ

      ଏ ଶେଷ ଗୀତଟି ଜାଣ।


  


Rate this content
Log in

Similar oriya poem from Tragedy