ନିରୀହ ପ୍ରାଣ
ନିରୀହ ପ୍ରାଣ
କାଖରେ କାଖେଇ ମୁଣ୍ଡରେ ମୁଣ୍ଡେଇ
ଏଯାଏ ଆସିଲୁ ବୋହି
ରାତି ପାହି ଲାଣି କେତେବେଳୁ ମାଆ
କାହିଁକି ପଡ଼ିଚୁ ଶୋଇ ।
ବାଟସାରା ଥକି ବସି ଯାଉଥିଲୁ
ପାଣି ମୁନ୍ଦେ ମୁନ୍ଦେ ପିଇ ,
ଯାହା ମିଳୁଥିଲା ବାସି ସଜ ତକ
ଆମରି ମୁହଁରେ ଦେଇ ।
ବୈଶାଖର ତାତି ଅସହ୍ୟ ଲୋ ମାଆ
ପୋଡି ଜଳି ଯାଏ ଦେହ ,
ପକ୍କା ସଡ଼କରେ ଖାଲି ପାଦ ତୋର
କେମିତି ଚାଲିଲା କହ ।
ରୋଗର ଭୟରେ ଭୋକ ବିକଳରେ
ଏତେ ବାଟ ଥିଲୁ ଆଣି,
ନିୟନ ପିତୁଳା ଡାକୁଛି ତତେଲୋ
ପାରୁନୁ କି ତୁ ଶୁଣି ।
ଉଠିଯା ଲୋ ମାଆ ବାଟ ସରି ନାହିଁଁ
ଚାଲିବାକୁ କେତେ ବାକି,
ଖୋଲିଦେ ଟିକିଏ ସେନେହରେ ଭରା
ତୋର ସେଇ ଦୁଇ ଆଖି ।
( ସମାପ୍ତ)