STORYMIRROR

Dr Baman Chandra Dixit

Tragedy

3  

Dr Baman Chandra Dixit

Tragedy

ବହିଟିଏ ବୋଲି

ବହିଟିଏ ବୋଲି

1 min
149

କହି ମୁଁ ପାରେନା ବହିଟିଏ ବୋଲି

ଥାକରେ ସାଇତା ଅଛି ଆଜିକାଲି

ତର ତାର ନାହିଁ ଯିଏ ପଢୁଥିଲା

ଦେଖୁନାହିଁ କେହି ମଲାଟ ମୋ ଖୋଲି।।


କେତେ କବି କେତେ ଲେଖକ ଗାଳ୍ପିକ

କେତେ ମାନପତ୍ର ଅନେକ ପଦକ

ଆଲମାରୀ କାଚ କବାଟ ପଛରୁ

ଅନେଇ ବସିଛି ବହିଟିଏ ବୋଲି।।


ବିମୋଚନୀ ପର୍ବ ଲୋକାର୍ପଣ ବେଳା

ଭାଷଣର ଭାଷା ବଇଭଵ ମେଳା

କେତେ ଉପହାର ଆଦାନ ପ୍ରଦାନ

ତଥାପି ଅପଢ଼ା ବହିଟିଏ ବୋଲି।।


ଶବ୍ଦର ଚାତୁରୀ ଭାବ ଛନ୍ଦ ଲୟ

ଅକ୍ଷର ଅ-କ୍ଷର ମୋର ରସ ମୟ

ତଥାପି ବିମୁଗ୍ଧ ପାଠକ ବିରଳ

ମଲାଟ ମଢ଼ା ମୁଁ ବହିଟିଏ ବୋଲି।।


ଅଙ୍ଗ ଅଙ୍ଗ ମୋର ରସ ରଙ୍ଗ ବୋଳା

କାବ୍ୟ କଥାଚିତ୍ର କାହାଣୀର ମେଳା

ହସ ଝରି ଯିବ ଲହୁ ଲୁହ କୋହ

ଛିଟିକି ପଡିବ ଦେଖ ଥରେ ଖୋଲି।


ମୋଟା ମଲାଟଟା ଚିରିଗଲା ପରେ

ଆଦର ଅଭାବ ଘାରିଗଲା ପରେ

ଅଳ୍ପ ପବନର ପ୍ରତାପ ପ୍ରଚଣ୍ଡ

ନିସ୍ତେଜ ଆଜି ମୁଁ ବହିଟିଏ ବୋଲି।।


ପ୍ରତିବାଦ ସ୍ୱର ଛାତିରେ ସାଇତି

ଅନୁନୟ କୋହ ଆସୁଛି ଉକୁଟି

ଅଳ୍ପ ଅନୁରାଗ ଟିକିଏ ସୋହାଗ

ମାଗୁଛି ଆଜି ମୁଁ ବହିଟିଏ ବୋଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy