ଗୁରୁବାର ମହାଲକ୍ଷ୍ମୀ
ଗୁରୁବାର ମହାଲକ୍ଷ୍ମୀ
ଆଜି ଗୁରୁବାର ମାଁ ଲକ୍ଷ୍ମୀ ହେବେ ପୂଜା
ନାନା କିସମର ଝୋଟି ଘର ହୋଇଛି ଯେ ସଜା ।
ଲକ୍ଷ୍ମୀ ପାଦ ପଡ଼ିଅଛି ଘର ଅଗଣାରେ
ଫୁଲ ଦୀପ ସଜ। ହୋଇଛି ସାଥିରେ ।
ମାଗୋ ମହାଲକ୍ଷ୍ମୀ ଆଜି ହୋଇଥା ମା ସାହା
ତୋ ଦୟାର ବଳେ ସୁରକ୍ଷିତ ଥାଉ ବାହା ।
ସ୍ବାଗତ କରୁଛି ଘରେ ହୁଅ ପଦାର୍ପଣ
ତନ ମନ ଧ୍ୟାନ ପାଦେ କରିବି ସମର୍ପଣ ।
ମାଗୋ ତତେ ସେବିଥିଲା ଶ୍ରୀୟା ଚଣ୍ଡାଳୁଣୀ
ଭକ୍ତିଭରେ ଠିଆ ହେଲୁ ତା ଘରେ ସବୁ ଜାଣି ।
ସବୁ ଜାଣି ରୋଷ ହେଲେ ଜଗା ବଡ଼ଭାଇ
ତୋର କୋପାନଳେ ଦଗ୍ଧ ହେଲେ ଦୁଇଭାଇ ।
ଜଗା ବଳିଆ କୋପରେ ହେଲା କଥାସୁନା
ଶ୍ରୀମନ୍ଦିର ସବୁଦିନ ହେଲା ତତେ ମନା ।
ଭିକମାଗି ବାହାରିଲେ ଜଗତର ସାଇଁ
ହଟହଟା ହେଲେ ଦୁଇଭାଇ ଘରଘର ଯାଇ ।
ଜିତାପଟ ହେଲା ମାଗୋ ତୋର ହାତ ରନ୍ଧା ଖାଇ
ବଡ଼ଭାଇ ଆଦେଶରେ ପ୍ରଭୁ ଗଲେ ତାଙ୍କୁ ନେଇ ।
ମାଗୋ ମହାଲକ୍ଷ୍ମୀ ତତେ କରୁଛି ଗୁହାରି
ତୋର ପାଦପଦ୍ମେ ସଦା ମନ ଥାଉ ରହି ।
ତୋର ଶ୍ରୀଚରଣରେ ମାଗୋ ରହୁଥାଉ ମନ
ଆଜିର ପୂଜାରେ ମାଗୋ ହୁଅ ତୁ ପ୍ରସନ୍ନ।
ତୋର ଦୟା ବଳେ ଦାରିଦ୍ର୍ୟତା ହେଉ ଦୂର
ଏ ଶରୀର ପଞ୍ଚପ୍ରାଣ ସବୁ ଅଟେ ତୋର ।
