ଗୁରୁ
ଗୁରୁ
ଗୁରୁ ହିଁ ବ୍ରହ୍ମା ଗୁରୁ ହିଁ ବିଷ୍ଣୁ
ଗୁରୁ ହିଁ ମହେଶ୍ବର,
ଗୁରୁ ତ ସବୁଠାରୁ ଯେ ବଡ଼
ଗୁରୁ ଜଗତେ ସାର ।
ମୂଢମତି ଯେଉଁ ନର,
ଗୁରୁଙ୍କୁ କେବେ ବି ସମ୍ମାନ ନ ଦେଇ
କରେ ସଦା ତିରସ୍କାର ।
ଗୁରୁ ହିଁ ଅଟନ୍ତି ସ୍ନେହର ସାଗର
ସିଏ ହିଁ ଜ୍ଞାନର ଜ୍ୟୋତି,
ସେହି ଏକା ପରା ତ୍ୟାଗର ଭଣ୍ଡାର
ସିଏ ହିଁ ମହିମା ମୂର୍ତ୍ତି ।
ଜୀବନଟା ଯାଉ ବିତି,
ତାଙ୍କ ପାଦ ତଳେ ଜଣାଇ ଜଣାଇ
ମୋହର କୋଟି ପ୍ରଣତି ।
ସ୍ନେହର ମେଘମାଳ ମଧ୍ୟରେ
ଗୁରୁ ହିଁ ଶ୍ରଦ୍ଧାର ବିନ୍ଦୁ,
ନୀଳ ଆକାଶରେ ତାରକା ମଝିରେ
ପୂର୍ଣ୍ଣିମାର ଗୋଟେ ଇନ୍ଦୁ ।
ସିଏ ହିଁ ପ୍ରେମର ସିନ୍ଧୁ,
କେତେ କଥା କହି ହସାନ୍ତି ଆମକୁ
ଯେତେବେଳେ ଆମେ କାନ୍ଦୁ ।
ଦିଅନ୍ତି ଆମକୁ ବିଦ୍ୟାଦାନ ସିଏ
ଦେଉଥାନ୍ତି ନୀତିଶିକ୍ଷା,
ତାଙ୍କରି ପାଖରେ ନେଉଥାଉ ଆମେ
ସ୍ନେହ ଓ ଶ୍ରଦ୍ଧାର ଦୀକ୍ଷା ।
ଦିଅନ୍ତି ଆମକୁ ଶିକ୍ଷା,
ସତ୍ୟପଥ କେବେ ଛାଡିବନି ତୁମେ
ମାଗିବ ପଛକେ ଭିକ୍ଷା ।
ଅନ୍ଧାର ପଥରୁ ଆଲୋକ ପଥକୁ
ଗୁରୁ ହିଁ ଦେଖାନ୍ତି ବାଟ,
ତାଙ୍କରି ପାଖରୁ ଶିକ୍ଷା ପାଇ ଆମେ
ହେବା ସର୍ବେ ଭଲ ଚାଟ ।
ପଢି ଜୀବନର ପାଠ,
ତାଙ୍କରି ଆଶିଷେ ଆମ ଚଲାବାଟ
ହୋଇଯିବ ଫୁଲହାଟ ।
ମୁକୁତା ଝରଇ ହସରୁ ତାଙ୍କର
ଅଧରୁ ଝରଇ ମଣି,
ଜୀବନଟା ସାରା ଭୁଲିବାନି କେବେ
ତାଙ୍କ ଉପଦେଶ ବାଣୀ ।
ତାଙ୍କ ସ୍ନେହ ପ୍ରେମ ପୁଣି,
ଭୁଲିବାନି କେବେ ଏଇ ଜୀବନରେ
ସାଜିବା ଆମେରେ ଗୁଣୀ ।
ସିଏ ହିଁ ଜୀବନେ ଆଶାର ଆଲୋକ
ତାଙ୍କୁ ଦେବାରେ ସମ୍ମାନ,
ସିଏ ଆମ ପାଇଁ ସାକ୍ଷାତ ଈଶ୍ୱର
ସିଏ ହିଁ ତ ଭଗବାନ ।
ଏତିକି ମୋ ନିବେଦନ,
ତାଙ୍କ ଆଶୀର୍ବାଦ ଆମରି ଉପରେ
ରହିଥାଉ ସବୁଦିନ ।
