STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଶପଥ ନେବାରେ ଆଜି

ଶପଥ ନେବାରେ ଆଜି

1 min
311


ଆସ କୁନି କୁନା ଆସ ମୁନି ମୁନା

           ଶପଥ ନେବାରେ ଆଜି,

ଗଢିବା ଆମେରେ ରାଇଜକୁ ନୂଆ

           ବାଇଦ ଉଠିବ ବାଜି ।


କପଟ ଛାଡିବା ସତପଥେ ଯିବା

           କହିବାନି ମିଛ କେବେ,

ହିଂସା ଓ ଗରବ କରିଦେବା ଦୂର

           ଖୁସିରେ ରହିବା ତେବେ ।


ଆକାଶେ ଉଡିବା ପାଣିରେ ବୁଡିବା

           ପାହାଡ ଚଢିବା ଆମେ,

ଦୁଃଖୀ ରଙ୍କିଙ୍କର କରୁଥିବା ସେବା

           ହେଳା କରିବାନି କାମେ ।


ଭଲ ମଣିଷଟି ହୋଇବା ଆମେରେ

            ଭଲକାମେ ଦେବା ମନ,

ସ୍ବାର୍ଥକୁ ଛାଡିବା ସମାଜ ଗଢିବା

           ରଖିବା ମାଟିର ମାନ ।


ଲଢିବା ଆମେରେ ବଇରୀ ସାଥିରେ

             ସନମାନ ଯିବ ବଢି,

ହସିବ ଏ ଦେଶ ହସିବ ଏ ମାଟି

             ତ୍ରିରଙ୍ଗା ଉଠିବ ଉଡି ।


ଭେଦଭାବ ଯେତେ ଭୁଲିଯିବା ଆମେ

            ଦେବା ନାହିଁ ମନେ ଦୁଃଖ, 

ସେନହେ ଆଦରେ ବାନ୍ଧିବା ସଭିଙ୍କୁ 

            ଝରୁଥିବ ଖାଲି ସୁଖ ।


ଏକତା ବଳରେ ବଳୀୟାନ ହେବା

           ରଖିବା ଜାତିର ଟେକ,

ମିଠାକଥା କହି ମନକୁ ମୋହିବା

           ଶୁଣିବା ବିବେକ ଡାକ ।


କହିବା ବୁଝାଇ ସଭିଙ୍କ କାନରେ

            "ଉଠ ଭାଇ ଉଠ ଉଠ,

କାମ କରିଯାଅ ବୀର ଯୋଦ୍ଧା ପରି

            କରନାହିଁ କେବେ ମଠ ।"


ସବୁଜ ସୁନ୍ଦର ରଖିବା ମହୀକୁ

           ଉତ୍ତାପ ହୋଇବ ଦୂର,

ନିଜେ ବଞ୍ଚି ଆମେ ବଞ୍ଚାଇବା ଅନ୍ୟ 

          କରୁଥିବା ଉପକାର ।


ରୋଗ ଜୀବାଣୁ ଠୁ ରହିବାକୁ ଦୂରେ

            ବୁଝାଇ କହିବା ନିତି,

ପରିବେଶ ଆମ ରଖିବାକୁ ସ୍ବଚ୍ଛ 

            ଦେବା ବାର୍ତ୍ତା ନିତି ପ୍ରତି ।



Rate this content
Log in

Similar oriya poem from Inspirational