ରୋପଣ କରିବା ବୃକ୍ଷ
ରୋପଣ କରିବା ବୃକ୍ଷ
ପ୍ରକୃତିର ଏଇ କରାଳ ରୂପକୁ
ଦେଖି ହୃଦ କାନ୍ଦିଉଠେ
ସବୁ ସହି କିନ୍ତୁ ବସୁଧା ଆମକୁ
ନାନା ଉପାଦାନ ବାଣ୍ଟେ ।
ଗହଳ ବନାନୀ ବୁକୁରେ ତାହାର
ଶୋଭା ପାଉଥିଲା ବୋଲି
ଶୀତଳ ବାୟୁରେ ମନ ଉଲ୍ଲାସରେ
ଦିନ ଯାଉଥିଲା ଚାଲି ।
ଖାଦ୍ୟବାସଠାରୁ ନାନାଦି ଦରବ
ଗଛ ଦେଉଥିଲା ଦାନ
ତା' ଯୋଗୁଁ ବରଷା ଧରଣୀ ବୁକୁରେ
ଆସୁଥିଲା ନିଶ୍ଚେ ଜାଣ ।
ନଥିଲା ମୃତ୍ତିକା କ୍ଷୟର ଭୟ ଯେ
ନଥିଲା ଯେ ଦୁର୍ବିପାକ
ଆଜି କିନ୍ତୁ ସବୁ ବଦଳି ଯାଇଛି
ଶୂନ୍ୟ ହୋଇଯାଇ ବୃକ୍ଷ ।
ଆଧୁନିକ ମୋହ ଗ୍ରାସି ମଣିଷକୁ
ବିଜ୍ଞାନକୁ କରି ଵଶ
କଳାକାରଖାନା ,ସୁଉଚ୍ଚ ସଉଧ
ଗଢିଲାଣି ଚତୁଃପାର୍ଶ୍ଵ ।
ଗହଳ ବନାନୀ ନିଶ୍ଚିହ୍ନ ହେଲାଣି
ପ୍ରକୃତି ବିଦୀର୍ଣ୍ଣ ହୋଇ
ଭାରସାମ୍ୟ ତା'ର ହରାଇ କାନ୍ଦୁଛି
ମଣିଷର ନିଘା ନାହିଁ ।
ନିୟମିତ ବର୍ଷା ଝରୁନାହିଁ ଆଉ
ଚାଷୀକୁଳ ଭୋଗେ କଷ୍ଟ
ଦୈଵ ଦୁର୍ବିପାକ ତାଣ୍ଡବ ଲୀଳାରେ
ହୋଇଲାଣି ସବୁ ନଷ୍ଟ ।
ସୂର୍ଯ୍ୟର ଉତ୍ତାପ ପ୍ରଖର ହେଲାଣି
ସହି ହେଉନାହିଁ ଦାଉ
ନିଜ ଜିହ୍ଵା ନିଜେ ଛେଦ କରି ପୁଣି
ମଣିଷ ଦେଖାଏ ଭାଉ ।
ବିପନ୍ନ ହୋଇଲେ ପ୍ରକୃତିର ରୂପ
ବଞ୍ଚିବାକି ଆମେମାନେ
ଏବେଠାରୁ ଯଦି ସଚେତନ ହେବା
ଭୟ ରହିବନି ମନେ ।
ବିଧ୍ବଂସ ମୁଖରୁ ବର୍ତ୍ତିବା ନିମନ୍ତେ
ରୋପଣ କରିବା ବୃକ୍ଷ
ତୃପ୍ତ ହେଲେ ଧରା ଜୀବନେ ଆମର
ଭରିଦେଵ ମହାସୁଖ ।