ଗୋଟିଏ ଲାଳସା
ଗୋଟିଏ ଲାଳସା
ଆଜୀବନ ମୋର ଗୋଟିଏ ଲାଳସା, “ଦେଖନ୍ତି ପ୍ରଭୁ ସ୍ବରୂପ”,
ଦିନ ମାସ ବର୍ଷ କେତେ ବିତିଲାଣି, ଭୁଲିଯାଏ ତାର ମାପ ।
ପ୍ରଭୁଙ୍କ ଦର୍ଶନ ଏକ ମରୀଚିକା ଆମ ଭଳି ଲୋକ ପାଇଁ,
ତାଙ୍କ ଦେଖା ମିଳେ କେବଳ ଭକ୍ତଙ୍କୁ, ଆମର ସୌଭାଗ୍ୟ କାହିଁ ?
କେତେ ଶ୍ରଦ୍ଧା ଆଉ କେତେ ପୂଜା କଲେ ମିଳେ ତାଙ୍କର ଦର୍ଶନ,
କରିବାକୁ ପଡ଼େ ଅସୁମାରି ଧ୍ୟାନ, ଅପାର ତାଙ୍କ ଭଜନ !
ଚିତ୍ରରେ ଦେଖିବା ତାଙ୍କ ରୂପ ଯେତେ, ସେସବୁ ଭାବନା ରୂପ,
କିଏ ବା ଦେଖିଛି କହିବ ତାଙ୍କର ପ୍ରକୃତ ରୂପ ସ୍ବରୂପ !
ପ୍ରକୃତ ଦର୍ଶନ ନ ମିଳୁ ପଛକେ ପଢ଼ୁ ତାଙ୍କ ନାମ ଧାମ,
ଅନ୍ୟ ଜୀବ ଭାବେ ଜନମ ଲଭିଲେ ଜାଣିବାନି ନାମ ପ୍ରେମ ।
ମାନବ ଜୀବନେ ଏହି ଆଶ୍ଵାସନା, ଦେଖୁଛୁ ଚିତ୍ରରେ ପ୍ରଭୁ ।
ଆଦୌ ମିଳିବେନି ଅନ୍ୟ ଜୀବ ଜନ୍ମେ, ଦୁର୍ଲଭ ସେହି ସ୍ଵୟଂଭୂ ।
ଜୀବନଟା ଯଦି ଦୁଃଖର ସାଗର, କ୍ଷୁଦ୍ର ଟାପୁ ଭଳି ସୁଖ,
ଟାପୁର ସମୟ ବିତେ କ୍ଷଣକରେ, ଅନାମରେ ମିଳେ ଦୁଃଖ ।
ତାଙ୍କର ଦର୍ଶନ ମିଳିଗଲେ ଥରେ ହେବ ସବୁ ଦୁଃଖ ଅନ୍ତ,
ଟାପୁ ବା ସାଗର ସମାନ ଲାଗିବ, ହେବେନି କେହି ବିଭ୍ରାନ୍ତ ।
