ଫଗୁଣ
ଫଗୁଣ
ଫଗୁଣ ମରୁତ ହରିନିଏ ଚିତ୍ତ,
ନୁହେଁ ଉଷ୍ଣ ନୁହେଁ ଶୀତ,
ସେହି ପବନର ପରଶରେ ହୁଏ,
ତନୁ ମନ ଶିହରିତ ।
ସୁଗନ୍ଧରାଜ ଓ କାମିନୀ, ଯୂଇର
ସୌରଭ ଅଭିମନ୍ତ୍ରିତ,
ଚଇତି ପବନ ହୁଏ ନିୟୋଜିତ,
ସୁଗନ୍ଧରେ ବିମୋହିତ ।
ଚୂତ ତରୁ ଡାଳୁ ମଳୟେ ପ୍ଳାବିତ,
କୋକିଳ ମଧୁ କୂଜନ,
ଶ୍ରବଣରେ ହୋଇ ସ୍ୱର ନିନାଦିତ,
ମନ ହୁଏ ଧ୍ୟାନମଗ୍ନ ।
ଚକ୍ଷୁ ତୃପ୍ତ ହୁଏ କଳି ସମ୍ଭାରରେ,
ଉପଲବ୍ଧ ରଙ୍ଗ ଆଭା,
ସବୁଜ ସୁନ୍ଦର ବୃକ୍ଷ ପଲ୍ଲବିତ
ଛୋଟ ବଡ଼ ପୁଷ୍ପ ଶୋଭା ।
ଅନୁପମ ହୋଲି ରଙ୍ଗର ଉତ୍ସବ,
ରଙ୍ଗରେ ହୁଏ ରଙ୍ଗୀନ
ରଙ୍ଗହୀନ ଧରା ହୁଏ ରଙ୍ଗଭରା
ରଙ୍ଗରେ ହୁଏ ମଗନ
ପ୍ରିୟା ଚିବୁକରେ ଅବିର ହସ୍ତରେ,
ପ୍ରଲିପ୍ତେ ମନ ବିକଳ,
ସେ ନାରୀ ଚଞ୍ଚଳା ପ୍ରୀତି ମଧୁବୋଳା,
ଧରା ଦିଏନି ଚଞ୍ଚଳ ।
ଧାବମାନ ବେଳେ ଫେରି ଫେରି ଚାହେଁ,
ବଢାଏ ହୃଦ ସ୍ପନ୍ଦନ,
ଦୃଷ୍ଟି ଢଳ ଢଳ କମଳ ନୟନ,
ପ୍ରଲୁବ୍ଧିତ କରେ ମନ ।
ଏହି ସବୁ ରସ ସମ୍ମିଳିତ ଭାବେ,
କରେ ଫଗୁଣ ମନୋଜ୍ଞ,
ପ୍ରଭୁ ପାଦପଦ୍ମେ ଏ ମାସ ନିମନ୍ତେ,
ଧରାରେ ଆମେ କୃତଜ୍ଞ।

