ଭଗବାନଙ୍କର ଡାକରା
ଭଗବାନଙ୍କର ଡାକରା
ଭଗବାନଙ୍କର ଡାକରା ପାଇ କବୀର ଧରିଛି ରାହା,
ସାଧୁ ମେଳରେ ଯେ ସୁଖ ମିଳେ, ବୈକୁଣ୍ଠରେ କାହିଁ ତାହା !
ପରଶ ମଣି, ସାଧୁଙ୍କ ସ୍ପର୍ଷ ମଧ୍ୟରେ ଅଛି ବୈଷମ,
ଲୁହାକୁ ମଣି କାଞ୍ଚନ କରେ, ସାଧୁ କରେ ନିଜ ସମ ।
କୃଷ୍ଣକନକ ଠାରୁ କନକ ଶତ ଗୁଣ ନିଶା କରେ, (କୃଷ୍ଣକନକ – ଅଫିମ)
ଆପୁ ଖାଇଲେ ନିଶା, ଅନ୍ୟଟି କେବଳ ଥିଲେ ପାଖରେ । (ଆପୁ – ଅଫିମ)
ସବୁ ଧର୍ମର ଗୃହ ଜାଳିଲେ ପ୍ରଭୁଙ୍କର ଦୁଃଖ ନାହିଁ,
ଜଳାଅ ନାହିଁ ସ୍ନେହି ହୃଦୟ, ସେଠାରେ ରହନ୍ତି ସେହି ।
କବୀର, ଶୋଇ ରହିଛୁ କାହିଁକି, ଜାଗ୍ରତ ହୋଇ ବସ,
ଯାହା ସାଥୀରେ ଶରୀର ବୁଲେ, ସେ ତୁମ ମିତ ସରସ ।
ପ୍ରେମର ରଜ୍ଜୁ ଲମ୍ବାଅ ନାହିଁ, ଯେପରିକି ଛିଣ୍ଡିଯିବ,
ଛିଣ୍ଡିଲେ ଥରେ ଯୋଡ଼ି ହେବନି, ଯୋଡ଼ିଲେ ଗଣ୍ଠି ପଡ଼ିବ ।
ଯାହାର ଯେଉଁ ଗୁଣ ରହିଛି, ତାହାହିଁ ସିଏ ଦେଖାଏ,
ପାଖରେ ଯାହା ନାହିଁ ତାହାକୁ କେଉଁଠୁ ଆଣିବ ସିଏ ।
କବୀର ବଡ଼ ପାଟିରେ କହେ, ଦୁଇ କଥା ଲେଖି ନିଅ,
ଅର୍ଥ ଲୋଭର କିଣା ଚାକର, ଭୋକିଲାକୁ କିଛି ଦିଅ ।
ପ୍ରଭୁ ଧ୍ୟାନରେ ମଗ୍ନ ହୁଅ ତୁ, ମୁଖରେ କିଛି ନ ବୋଲ,
ବହିଃ ଦ୍ୱାରକୁ ବନ୍ଦ କରି ତୁ ଅନ୍ତର ଦ୍ୱାରଟି ଖୋଲ ।
କବୀର, ଶୋଇ କରୁଛୁ କଅଣ? ନିଦକୁ ପ୍ରେମ ନ କର,
ଯେମିତି ରାତି ସ୍ୱପ୍ନ ଅଳିକ, ସେମିତି ଏହି ସଂସାର ।
ଚତୁରତାରେ ହରି ମିଳେନି, ବାସ୍ତବ ଏହି କଥନ,
କାମନା ଶୂନ୍ୟ, ଲକ୍ଷ ବିହୀନ ପ୍ରେମରେ ପ୍ରଭୁ ମଗନ ।
ମିଛୁଆ ସାଙ୍ଗ ମିଛୁଆ ହେଲେ ଦୁଇ ଗୁଣ ହୁଏ ସ୍ନେହ,
ମିଛୁଆ ସତ୍ୟବାଦୀ ଭେଟିଲେ ଭାଙ୍ଗିଯାଏ ସବୁ ମୋହ ।
କବୀର ସାଧୁ ସଙ୍ଗତ କେବେ ଫଳହୀନ ହୁଏ ନାହିଁ,
ଚନ୍ଦନ ଅନ୍ୟ କାଷ୍ଠ ସାଥୀରେ କେବେ ନଷ୍ଟ ହୁଏ ନାହିଁ ।
କବୀର ନାଳ ମଧ୍ୟସ୍ଥ ଜଳ କେହି ପାନ କରେ ନାହିଁ,
ସେ ଜଳ ଗଙ୍ଗା ସାଥେ ମିଶିଲେ ଗଙ୍ଗୋଦକ ହୋଇଯାଇ ।
ଯେଉଁ ପର୍ଯ୍ୟନ୍ତ କାଳ ତୋ କାୟା ଘଷି କ୍ଷୀଣ କରିନାହିଁ,
ଯେଉଁ ପର୍ଯ୍ୟନ୍ତ ଜରା ଓ ରୋଗ ପାଖକୁ ତୋ ଆସିନାହିଁ,
ଯେଉଁ ପର୍ଯ୍ୟନ୍ତ ବାଣୀ ତୋହର ଅତି କ୍ଷୀଣ ହୋଇନାହିଁ,
ଗାଇ ଚାଲ ତୁ ଭଜନମାଳା, ପ୍ରାଣୀ ମନା କର ନାହିଁ ।
କବୀର ଅବିଗୁଣ ନା ଘେନ, ବାଛି ଭଲ ଗୁଣ ଘେନ,
ମଧୂପ ପୁଷ୍ପ ସଂଗ୍ରହ ରୁପେ ରଖ ସବୁ ସ୍ମୃତିମାନ ।
ଗୁଣକୁ ଯଦି ଗ୍ରାହକ ମିଳେ ଲକ୍ଷ ସଂଖ୍ୟା ବିକ୍ରି ହୁଏ,
ଗୁଣର ଯଦି ଗ୍ରାହକ ନାହିଁ, କଉଡ଼ି ମୂଲରେ ଯାଏ ।
ପ୍ରତି ଶ୍ୱାସରେ ନାମକୁ ଭଜ, ଯେଭଳି ବ୍ୟର୍ଥ ନ ଯିବ,
କିଏ ଜାଣିଛି ଆସନ୍ତା ଶ୍ୱାସ ଆସିବ କି ନ ଆସିବ ।
କଚ୍ଚା ଶରୀର ମନ ଅସ୍ଥିର ଅକର୍ମରେ ସଦା ରତ,
ଯେତିକି ନର ବେପରୁଆ ହୁଏ ସେତେ କାଳ ହସେ ରତ ।
ଲୋଇଲି କଳା, ହଂସ ସଫେଦ, କାୟା ରଙ୍ଗ ନିରାଧାର,
ଏହି ସଂସାରେ ମାଟିର ଘଡ଼ା ବହୁଧା ଗଢ଼େ କୁମ୍ଭାର ।
ଏକା ପବନ ଏକା ବାରିଦ ଏକା ଜାତି ଏ ସଂସାର,
ଏକା ମାଟିରେ ଗଢ଼ଇ ଘଟ ଏକ ହି ସୃଜନକାର ।
ଅନେକ ଥର କାବାକୁ ହଜ୍ କରି ଗଲେଣି କବୀର,
ପୀର, ମୋ ଦୋଷ କେଉଁଠି ଅଛି, କଥା ନ କହେ ଠାକୁର ।
ସରଳମତି ଜାଗ ସମ୍ପ୍ରତି କର ସତ୍ୟ ଅନୁଧ୍ୟାନ,
ବୁଝିବା ଶକ୍ତି ଦେଇଛି ଯିଏ ନ ଜାଣେ ଧର୍ମ ବିଭିନ୍ନ ।
କବୀର କହେ ଚେତରେ ଭୋନ୍ଦୁ,
କହିଲାବାଲା ତୁର୍କ ନା ହିନ୍ଦୁ ।
