କରୋନା
କରୋନା
ସମସ୍ତେ କହନ୍ତି ପ୍ରଳୟ ଆସିବ,
ନ ଦେଖିବା କଥା ରଟନା,
ଚକ୍ଷୁ ସାମନାରେ ପ୍ରତ୍ୟକ୍ଷ ଦେଖୁଛେ,
ବିଭୀଷିକାରେ କରୋନା ।
ତା’ ସ୍ପର୍ଶରେ ଦେହ ଗଠନ ନିଃଷ୍ପ୍ରଭ,
ମରଣ ତାର ଚୁମ୍ବନେ,
ନିଜେ ଅଶରୀରୀ, କରିପାରେ ଜୀବ
ଅଶରୀରୀ କିଛି ଦିନେ ।
ନାହିଁ ହାତ ଗୋଡ଼, ଆଖି, ନାକ, କାନ
କିଛି ବି ସେହି ଖାଏନା,
ଅଦୃଶ୍ୟ ଜଳଧି ଦିଏ ଶ୍ୱାସ ରୁନ୍ଧି,
କାତ ତାକୁ ତ ପାଏନା ।
ନାମଟି କରୋନା ନାହିଁ ତା କରୁଣା,
ଧ୍ଵଂସ ତାହାର ସାଧନା,
ସଂସାରର ଶ୍ରେଷ୍ଠ ଜୀବ ଯେ ମାନବ
ନାହିଁ ତାହାର ଭାବନା ।
ଭୂତାଣୁ ଭୟରେ ନିଜ ଘରେ ଆମେ,
ରହୁଛୁ ଯେପରି ବନ୍ଦୀ,
ଯିଏ ବାହାରିଲା ରୋଗରେ ପଡ଼ିଲା,
ଦିନ ସରେ କାନ୍ଦି କାନ୍ଦି ।
ଅଫିସ, କଲେଜ, ବିଦ୍ୟାଳୟ ଆଦି,
ସବୁ ହୋଇଗଲା ବନ୍ଦ,
ଘରେ ଥାଇ କମ୍ପ୍ୟୁଟର ମାଧ୍ୟମରେ
କରିବା ମିଳେ ସନନ୍ଦ ।
ଡାକ୍ତରଖାନାରେ ଶଯ୍ୟା ମିଳୁନାହିଁ ,
ମିଳୁନି ଯଥା ଔଷଧ,
କଳା ବଜାରକୁ ଚାଲିଯାଏ ତାହା,
ହତାଶାରେ ରୋଗୀ ସ୍ତବ୍ଧ ।
ଦୁଃଖର ବିଷୟ ବିପଦ କାଳରେ,
ମାରେନି ଏକା କରୋନା,
ହାତରେ ନ ମାରି ଭାତରେ ମାରନ୍ତି,
କେତେକ ଲୋଭୀ ଭାଇନା ।
ଔଷଧର ମୂଲ୍ୟ ସୁନାମି ସମାନ
ସୀମା ଲଙ୍ଘି ମାଡ଼ିଯାଏ,
ତା ସାଙ୍ଗକୁ ବଢେ ଆମ୍ବୁଲାନ୍ସ ମୂଲ୍ୟ,
ଅମ୍ଳଜାନ ଦାମୀ ହୁଏ ।
ଖାଦ୍ୟ ଦର ବୃଦ୍ଧି ହେତୁ ପାରନ୍ତିନି,
କିଣି ଗରିବ ମଣିଷ,
ବୁଦ୍ଧି ଦିଶୁନାହିଁ, ହାରନ୍ତି ପ୍ରତ୍ୟୟ
ହତାଶି କରିବ କିସ !
ଆମଦାନୀ କମ୍, ମୂଲ୍ୟ ବୃଦ୍ଧି ଦମ୍
କିଛି ନାହିଁ ଖାଇବାକୁ,
ପ୍ରିୟ ଲୋକ ମୃତ୍ୟୁ ବିବଶ କରୁଛି,
ଆତ୍ମହତ୍ୟା କରିବାକୁ ।
କରୋନା ରୋଗରେ ପରିବାର ମଧ୍ୟେ
କେହି କେହି ମରୁଛନ୍ତି,
ବାକି ଯେତେ ଲୋକ ଦୁଃଖରେ ଆସକ୍ତ,
ମରି ମରି ବଞ୍ଚୁଛନ୍ତି ।
ପ୍ରବାସୀ ଫେରନ୍ତି, ଶୂନ୍ୟ ରୋଜଗାର,
ବଞ୍ଚିବା ହୁଏ ଦୁଷ୍କର,
ତା’ଉପରେ ଚୋରି ଡକାୟତି ଚାଲେ,
ମାନବତା ମାନେ ହାର ।
ଧୀଶକ୍ତି ହଜୁଛି, ଲୋଭ ଗ୍ରାସୁଅଛି
କାଣ୍ଡ ଜ୍ଞାନ ଯାଏ ହଜି,
ନକଲି ଔଷଧ ଖାଇ ମର ପଛେ
ରହୁ ଲୋଭୀ ଆମେ ବଞ୍ଚି ।
ଯଦି ମୃତ୍ୟୁ ହେଲା, ଶ୍ମଶାନ ନେବାକୁ,
କାନ୍ଧ ଦେଉ ନାହିଁ କେହି,
ପରିବାର ଲୋକ ଅବା ଗ୍ରାମ ଭାଇ,
“ଯିବୁନି” ଦିଅନ୍ତି କହି ।
ଶ୍ମଶାନରେ କାଷ୍ଠ ମୂଲ୍ୟ ବୃଦ୍ଧି ହୋଇ,
ବଢାଏ ହୃତପିଣ୍ଡ ଗତି,
ଲାଗୁଛି ଯେମିତି ମାନବ ପଣିଆ
ହଜି ରଚୁଛି ଦୁର୍ଗତି ।
ଅଦୃଶ୍ୟ ଆକାର ମଚେ ହାହାକାର,
କହୁ ଆମେ ତାକୁ ମାର,
କେମିତି ସମୂଳେ ମରିଯିବ ସେହି,
ଖୋଜା ଚାଲିଛି ତାହାର ।
ବିଭୀଷିକା ଦେଖି ବିଜ୍ଞାନୀ ମାନବ,
ହୁଏ ଅତି ହୀନିମାନ,
ମଣିଷ ଜାତିର ମାନ ରଖିବାକୁ,
ଚେଷ୍ଟାରତ ସବୁଦିନ।
ଅତିଶୟ ପାପ-ପଙ୍କରେ ଜଡ଼ିତ,
ହୋଇଛନ୍ତି ଜୀବଗଣ,
ବୋଧହୁଏ ସେଥି ନିମନ୍ତେ ପ୍ରଭୁ ହିଁ,
କରିଛନ୍ତି ଏ ଭିଆଣ ।