ପହିଲି ବର୍ଷା
ପହିଲି ବର୍ଷା
ଘୋଟି ଆସେ ଯେବେ ଘନ କୃଷ୍ଣ ମେଘ,
ବାଲିଝଡ଼ ଥାଏ ମାଥେ,
ଜ୍ୟୋତି ବିମଣ୍ଡିତ ବର୍ଷାରାଣୀ ଆସେ
ବାଦ୍ୟ ଓ ଆଲୋକ ସାଥେ ।
କୃଷ୍ଣକାୟ ମେଘେ ବିଦ୍ୟୁତ ତରଙ୍ଗେ
ଦାମିନୀ ଚମକି ଯାଏ,
କିଛି କ୍ଷଣ ପରେ ତାହାର ପ୍ରଭାବେ
ଘଡ଼ଘଡ଼ି ମାରିଯାଏ ।
ଉତ୍ତପ୍ତ ଭୂମିରେ ବର୍ଷା-ଜଳ-ପାତ
କରେ ବାୟୁ ସୁଗନ୍ଧିତ,
ସେହି ସୁଗନ୍ଧିତ ବାୟୁ ମାନବକୁ
କରିଦିଏ ଆମୋଦିତ ।
ଝିପି ଝିପି ବର୍ଷା ଆଣିଦିଏ ହର୍ଷ
ସଭିଏଁ ପାଆନ୍ତି ସୁଖ,
ଓଦା ହୋଇ ନୃତ୍ୟ କଲେ ଉନ୍ମାଦନା
ମିଳିଥାଏ ଅନେକ ।
ସିକ୍ତ ବସ୍ତ୍ର ଦେହେ ପ୍ରଦର୍ଶନୀ ହୁଏ,
ପ୍ରସ୍ଫୁଟିତ ଯୌବନର,
ସୁଶୀତଳ ଜଳ ଲାଗି କରୁଥାଏ
ଦେହ ଶୀତେ ଥରଥର ।
ବର୍ଷା ଥଣ୍ଡା କରେ ଦେହ ସିନା, ଅଗ୍ନି
ଲାଗେ କାହା ଶରୀରରେ,
ବିରହୀ ନାରୀର ମନ ଜଳିଯାଏ
ପ୍ରାଣପ୍ରିୟ ବିହୁନରେ ।
ବର୍ଷା ଜଳ ନୁହେଁ କେବଳ ହିଁ ଜଳ,
ଅପୂର୍ବ ସେ ଜଳ ବୁନ୍ଦ,
ତୃଷାର୍ତ୍ତ ଧରିତ୍ରୀ ନିମନ୍ତେ ମେଘରୁ
ବୋହି ଆଣେ ମକରନ୍ଦ ।
ଆଣେନି କେବଳ ଜଳ, ଆଣିଥାଏ
ସାଥିରେ ବୃକ୍ଷର ସାର,
ଯୌଗିକ ଭାବରେ ଯବ-ଅମ୍ଳଜାନ
ମିଶ୍ରଣ ହୋଇ ତିଆର ।
ଟୁପୁ ଟୁପୁ ଶବ୍ଦ କାହାକୁ ଶୁଭେ ତ
କାହାକୁ ରିମ୍-ଝିମ୍ ଶବ୍ଦ,
ଗରମ ପକୁଡ଼ି ଖାଉ ଖାଉ ତାସ
ଖେଳରେ ମିଳେ ଆନନ୍ଦ ।
ଛାତ ଉପରେ ଓ ଭୂମିର ଛାତିରେ
ପତିତ ଜଳର ନାଦ,
‘ଟୁପୁର ଟୁପୁର’ କର୍ଣ୍ଣେ ଢାଳିଦିଏ
‘ସାରେଗାମା’ ଜିତା ଶବ୍ଦ ।
ଧରିତ୍ରୀ-ଛାତିରେ ବର୍ଷସାରା ଯେତେ
କଚରା ଗଚ୍ଛିତ ଥାଏ,
ଧୌତ ନିଷ୍କାଶିତ ହୋଇ ଧରାପୃଷ୍ଠ
ପରିଷ୍କୃତ ହୋଇଯାଏ ।
ଗ୍ରୀଷ୍ମ-ସିଦ୍ଧ ବାୟୁ ଥଣ୍ଡା ହେଲେ ଦେହ
ମନ ହୁଏ ପୁଲକିତ,
ତପ୍ତ ଧରା ବକ୍ଷେ ବର୍ଷା ଧାର କରେ
କୃଷକଙ୍କୁ ବିମୋହିତ ।
ବର୍ଷା ନୁହେଁ ତାହା ଶ୍ରଦ୍ଧାର ସୁମନ
ମେଘ ଦେଉଅଛି ଢାଳି,
ଧରିତ୍ରୀ ମାତାର ତ୍ୟାଗ ସୌହାର୍ଦ୍ୟକୁ
ଦେଉଛି ସ୍ନେହ ଅଞ୍ଜଳି ।
*ଯବ-ଅମ୍ଳଜାନ = ଯବକ୍ଷାରଜାନ ଅମ୍ଳଜାନ
