ଆଶାବଦ୍ଧ
ଆଶାବଦ୍ଧ
ଜଣା ପଡ଼ୁଅଛି କାଳର ଭାବନା,
ମାନବ-ବିହୀନ ପୃଥ୍ଵୀର କାମନା ।
ପଠେଇଛି ତେଣୁ କରୋନା ଦୁର୍ଦ୍ଦାନ୍ତ,
ନିଷ୍ଠୁର କରିବ ମାନବଙ୍କୁ ହତ ।
ବହୁତ ହୋଇଗଲା କରୋନା, ବାସ୍
ଏଣିକି କରିବା ତାହାକୁ ଶେଷ ।
ଜାଣେନାହିଁ ନର ପ୍ରତିକ୍ରିୟା ବଳେ
ଶତ୍ରୁ ପରାଜିତ କରିପାରେ ହେଳେ ।
ଟିକା ସୂଚି ମୁନେ ଲଟକିଛି କାୟା,
ତା ସ୍ପର୍ଶରେ କାୟା ହୋଇଯିବ ଛାୟା ।
ଆସ ଦୁଃଖ ଭୁଲି ନିଷ୍ଠାରେ ରହିବା,
କରୋନା ମୃତ୍ୟୁର ଭୟ ଭୁଲିଯିବା ।
ମନେ ପକେଇବା ସବୁ ସୁଖ ଦିନ,
ବିସ୍ମରଣ ହେବ ସମସ୍ତ ଦୁର୍ଦ୍ଦିନ ।
ଭୁଲିଯିବା ସବୁ ମାନ ଅପମାନ,
ମନେ ପକେଇବା ସ୍ନେହ ଓ ସମ୍ମାନ ।
ଭୋକିଲା ପେଟର ବ୍ୟଥା ଭୁଲିଯିବା,
ସାଙ୍ଗ ସାଥି ଖେଳ ମନେ ପକେଇବା ।
ନିରାଶା-ମେଘରେ କାହିଁକି ଭାସିବା !,
ଆଶା-ଇନ୍ଦ୍ରଧନୁ ସେଥିରେ ଆଙ୍କିବା ।
ନିର୍ମଳ ଆନନ୍ଦେ ତା’ ଦର୍ଶନ ହେବ,
ଦୁଃଖର ଜୁଆର ଭଟ୍ଟା ପଡ଼ିଯିବ ।
ସମାଧି ରଚିବା ସବୁ ବ୍ୟଥା ତୋଳି
ଆସୁ ପଛେ ବାତ୍ୟା ଆସୁ ଝଡ଼ ଧୂଳି ।
ଏହି ସଂସାରରେ ସବୁ କ୍ଷଣସ୍ଥାୟୀ,
ଯଦି ଏହା ସତ୍ୟ, ରୋଗ ବି ଅସ୍ଥାୟୀ ।
ମୃଣ୍ମୟ ଶରୀର ମାଟିରେ ମିଶିବ,
ଯେ ସ୍ଥାନୁ ଆସିଛି ସେ ସ୍ଥାନକୁ ଯିବ ।
ଅସମୟେ କିନ୍ତୁ ଯିବାକୁ ଦେବାନି,
ଆମ ଦୃଢ଼ତାକୁ କ୍ଷୟ କରିବାନି ।
ଦୁଃଖର ମରୁରେ ସୁଖ-ମରୂଦ୍ୟାନ,
ଅଳ୍ପ ହେଉ ପଛେ ମିଳିବ ସନ୍ଧାନ ।
ଦୁର୍ଭାଗ୍ୟ-ପ୍ରସ୍ତର ଶିଳା ଖୋଳି ଆମେ,
ସ୍ୱାଦୁ ଆଶା-ଜଳ ପାଇବା ସମ୍ଭ୍ରମେ ।
ଡରନାହିଁ ପିତା, ମାତା ଓ ଭଗିନୀ,
ପାହିଯିବ ଶୀଘ୍ର ଏ କାଳ-ଯାମିନୀ ।
ଝଲସିବ ନଭେ ସୌଭାଗ୍ୟ-ଦାମିନୀ,
ଖୁସି-ହାସ୍ୟ ରୋଳେ କମ୍ପିବ ମେଦିନୀ ।
ଜୀବନଦ ନୀର ପୁନଶ୍ଚ ଝରିବ, (ଜୀବନଦ – ମେଘ)
ଜୀବଧାନୀ ଆମ ନବ ରୂପ ନେବ । (ଜୀବଧାନୀ – ପୃଥିବୀ)
ଜଳ ସ୍ଥଳ ଆଉ ଆକାଶ ନିଶୁନ,
ପୂର୍ଣ୍ଣ ହେବ ପୁନଃ ମାନବୀୟ ଯାନ ।
ଶୂନ୍ୟ ପଥେ ପ୍ରାଣୀ ହେବେ ଚଳାଚଳ,
ଶୂନ୍-ଶାନ୍ ଘରେ ହେବ କୋଳାହଳ ।
ଆସ ଭାଇ ବନ୍ଧୁ ସଖା ଓ ସମ୍ବନ୍ଧୀ,
ବିଜ୍ଞାନୀ ଖୋଜିବା ତା ମୃତ୍ୟୁର ବିଧି ।
କର୍ମହୀନ ହୋଇ ଗୃହେ ନ ରହିବା,
ନିଜ ଗୃହକର୍ମ ନିଜେ କରିଯିବା ।
ଅକର୍ମା, ଦୁଷ୍କର୍ମା ସାଥେ ନ ରହିବା,
ମୁଖା ଦେଇ ନାସା ମୁଖ ଢାଙ୍କିଦେବା ।
ଭୁତାଣୁ ଦେଉଛି ଅଦମ୍ୟ ବେଦନା,
ତେଣୁ ଫଟେଇବା ତାହାର ମୁର୍ଦ୍ଧନା ।
ଟିକାରେ କରୋନା-ମେଧ ଯଜ୍ଞ କରି,
ଆୟୁ ସ୍ଥିତାବସ୍ଥା ରଖିବା ସବୁରି ।
ଆଶଙ୍କିତ ନୁହେଁ, ହେବା ଆଶାନ୍ଵିତ,
କରୋନା ତ ହେବ ନିଶ୍ଚେ ପରାହତ ।
ସଙ୍ଗରୋଧଦ୍ୱାରା କରିବା ଆବଦ୍ଧ,
ନିରାଶ ନ ହୋଇ ହେବା ଆଶାବଦ୍ଧ ।
ଦେଇ ସାରିଲାଣି ବହୁ ପରାଭବ,
ଟିକା-ସୂଚି ଘାତେ ହେବ ସେ ନିଷ୍ପ୍ରଭ ।
ଶୁଭିଲାଣି ଆଶା-ଆଷାଢର ନାଦ,
ନିରାଶା-ନିଷିକ୍ତ ହୁଅନ୍ତୁ ଜାଗ୍ରତ ।