ମଧ୍ୟବିତ୍ତର ବିଳାପ
ମଧ୍ୟବିତ୍ତର ବିଳାପ
ସନ୍ତାନ ଚିନ୍ତନ ସରିଛି ଜୀବନେ, ପିତାମାତା ଅବସନ୍ନ,
ଟଙ୍କା ଜାକିଛନ୍ତି, ତାଙ୍କର କି ଲୋଡ଼ା, ପିଲାମାନେ ଅପ୍ରସନ୍ନ ।
କି ସୁଖ କି ଟଙ୍କା ମନରେ ଭାବନା, କେଉଁଠୁ ନିଏ ଜନମ !
ସବୁ ସୁଖ, ଟଙ୍କା ବାଣ୍ଟିଦେଲା ପରେ ବଳିଥାଏ ପୋଡ଼ା କର୍ମ ।
ଭାବନ୍ତି ପିଲାଏ ସବୁ ଭବ୍ୟ ସୁଖ ଭୋଗ କରି ସାରିଥିବେ,
ସୁଖ ବଦଳରେ ଦୁଃଖ ଭୋଗ କରି ପୋଷିବା କାହୁଁ ଜାଣିବେ ?
ଭାବି ପାରନ୍ତିନି, ତାଙ୍କରି ନିମନ୍ତେ ମରି ମରି ଜିଇଁଛନ୍ତି
ସବୁ ସୁଖତକ ଗୋଡ଼ରେ ଆଡ଼େଇ ଗରିବୀରେ ବଞ୍ଚିଥା'ନ୍ତି ।
ସପ୍ତାହରେ ଥରେ ଆମିଷ ଭୋଜନ ଛଅ ଦିନ ଏଣୁ ତେଣୁ,
କାଲିକୁ କିଣିବା ଦିବ୍ୟ ଖାଦ୍ୟ କାଲି ହଜେ ଦିନ ଗଣୁ ଗଣୁ ।
ହଳିଏ ପୋଷାକ ଏକ ହଳ ଚଟି ପାଦରେ ଫୋଟକା ଥାଏ,
ଦେଖାନ୍ତିନି କେହି ନିଜର ଗରିବୀ ଲଜ୍ଜା ଅନୁଭବ ହୁଏ ।
ମାତାଙ୍କର ହାତେ ସୁନା ଚୁଡ଼ି ନୁହେଁ ପାଣି ଚୁଡ଼ି ଶୋଭାପାଏ,
ସୁନା ଚୁଡ଼ି ଅଳି ହୃଦୟ ଥରାଏ, ଥଳିରେ ଅର୍ଥ ନଥାଏ ।
ପିଲା ହସିଦେଲେ ଲାଗେ ସ୍ଵର୍ଗ ସବୁ ଦୁଃଖ ବିସ୍ମରଣ କରୁ,
ସଂସାରର ସବୁ ମାନ ଅପମାନ ହସି ହସି ପାନ କରୁ ।
ବିତିଯାଏ ଦିନ ଆଗତ ବାର୍ଦ୍ଧକ୍ୟ କହ କି ମଉଜ କଲୁ ?
ସେହି ମଉଜରୁ ଯେତେ ଇଚ୍ଛା ମାଗ ଆନନ୍ଦରେ ଆମେ ଦେବୁ ।