ଗଣତନ୍ତ୍ର
ଗଣତନ୍ତ୍ର
ବନ୍ଧା ପଡିଛି ଏ ଗଣତନ୍ତ୍ର ମୋର
ଭୋକର ପଖାଳ କଂସାରେ,
ରାତି ପାହିଲେ ତା ଆବେଗ ଖେଳଇ
ସୂର୍ଯ୍ୟର ନାଲି କିରଣରେ ।
ସାମ୍ଯତା ଆଜି ସନ୍ଧାନ କରୁଛି
ଶ୍ରେଣୀର ସମାଜ ହାଟରେ,
ସ୍ଵାଧୀନତା ସ୍ବପ୍ନ ମିଳେଇ ଯାଇଛି
ମାଟିକାଦ ଇଟାଭାଟିରେ ।
ଅପହଞ୍ଚ ସୁଖ ଶାନ୍ତି ସମ୍ଭାବନା
ଖୋଜୁଛି ଭିଡର ଗଳିରେ,
ଭାରତ ମାଆର ଜୟଗାନ ଖୋଜେ
ସନିଆ ବିକଳ ପେଟରେ ।
ଖଟିଖିଆ ଏଠି ଗାଇବ କି ଭାଇ
ଏ ଦେଶ ପ୍ରେମର ଗାନ,
ସକାଳୁ ଉଠିଲେ ଚିମିନି ଧୂଆଁରେ
ଶୁଭଇ ଯା କର୍ମର ତାନ।
ପେଟପାଇଁ ନିତି କରେ କସରତ
ଜୀବନ ଯାହାର ଶ୍ମଶାନ,
ଦେହଦେଉଳରୁ ବୟସ ସରିଲା
ଭୋକଟା ପରା ବେଇମାନ।
ରାମ ମୁଖାପିନ୍ଧା ରାବଣର ଭିଡ
କଥାରେ କିଣନ୍ତି ମନ,
ତଥାପି ବାରୁଛି ଗଣତନ୍ତ୍ରର ସ୍ବାଦୁ
ଧନ୍ଯ ଏ ଭାରତ ମହାନ ।
ଫେରିଛି ପ୍ରଭାତ ଆନମନା ହୋଇ
ଆମ ଗାଆଁର ବସ୍ତି ଦେଇ,
ଯେଉଁଠି ବସିଛି ମାଛର ହାଟଟା
ଭୋକର ପସରା ନେଇ ।
ଗଣତନ୍ତ୍ର ଆଜି ଉପହାସ କରେ
ସମାନତା ତୁମ କାହିଁ,
ମଣିଷ ଯେଉଁଠି ନିଇତି ମରଇ
ପେଟ ଚାଖଣ୍ଡକ ପାଇଁ।
ଛାତଖଣ୍ଡେ ଲାଗି ନେହୁରା କେତେ ସେ
ସାହୁକାର ଠୁ ସରକାର,
ନିରବ ଜନତା ଶାସନ ବ୍ଯବସ୍ଥା
ବନ୍ଧା ପଡିଛି ଫାଇଲିର।
ଚିକିତ୍ସା ବିକଳ ମଣିଷ ସକଳ
ଦୁଧଭାତ ତାଙ୍କ ସପନ
ତଥାପି ଆମେତ ସ୍ବତନ୍ତ୍ର ସବୁତ
ଶୁଭେ ଗଣତନ୍ତ୍ର ଜୟଗାନ।
ତ୍ଯାଗ ବଳିଦାନେ ମିଳିଲା ସମ୍ମାନେ
ଆମ ଏ ସ୍ବତନ୍ତ୍ର ଭାରତ,
ନିଷ୍ଫଳ ନଯାଉ ତାଙ୍କ ବଳିଦାନ
ତ୍ରିରଙ୍ଗାର ରଖ ମହତ ।
ମନ ବଦଳିଲେ କର୍ମ ବଦଳିବ
କର୍ମ ବଚନ ସମାନ,
ନିସ୍ବାର୍ଥର ମନ ସେବାରେ ଜୀବନ
ହସିବ ଏ ସାରା ଭୁବନ।
ଘରୁ ଆରମ୍ଭିବା ଭାରତେ ଦେଖିବା
ଗଣତନ୍ତ୍ର ଫୁଲି ଉଠିବ,
ଗଣତନ୍ତ୍ର ମାନ ଜାତିର ସମ୍ମାନ
ନିଜଠୁ ଏ ଭାବ ଜାଗିବ।
ଜୀବନରେ ଯେତେ ଥାଉ ବି କଷଣ
ଅବା ଥାଉ ଯେତେ ଯାତନା,
ଛାତି ଫୁଲେଇକି ଗାଇବୁ ଆମେରେ
ଭାରତ ମାତାର ବନ୍ଦନା ।
