ଗଜଲ
ଗଜଲ
ମେଘକୁ ମୁଁ ଡରୁଥାଏ, ହାତେ ଥାଇ ଛତା
କହିବେ ସେ ଭିଜୁଥାଏ, ହାତେ ଥାଇ ଛତା ।
କହି ମୁଁ ପାରିନି ବୋଲି ହୃଦୟର କଥା
ଆଜି ବି ମୁଁ ଭିଜୁଥାଏ ହାତେ ଥାଇ ଛତା ।
ନିଦାଘ ସାଜିଛି ଏଠି ବସନ୍ତ ମଳୟ
ସୂରୁଜ କି ଛାଡିଦିଏ ହାତେ ଥାଇ ଛତା ।
ଆସିବ ବରଷା ତୁହା ଝଡ଼ ସାଥେ ନେଇ
ଝଡ଼କୁ କି ଟାଳିହୁଏ ହାତେ ଥାଇ ଛତା ।
ପାନ୍ଥଶାଳା ଦିଏ ସିନା ସାମୟିକ ସୁଖ
ବର୍ଷାଛିଟା ଖୋଜୁଥାଏ ହାତେ ଥାଇ ଛତା ।
ବର୍ଷା ସିନା ଧୋଇନେବ ମୋ ଆଖିର ଲୁହ
କୋଉ ଦାଗ ରୋକିହୁଏ ହାତେ ଥାଇ ଛତା ।
କହରେ ତୁ ମୁନ୍ନା ଢାଙ୍କିଥିଲେ ନଭେ ମେଘ
ସତରେ କି ଥୋଇହୁଏ ହାତେ ଥାଇ ଛତା ।

