ଅଭିମାନ ଫେଡ଼ ମଉନାବତୀ
ଅଭିମାନ ଫେଡ଼ ମଉନାବତୀ
ମେଞ୍ଚାଏ ବାଦଲ ଘୋଟି ମୁଖାକାଶେ ଦିଶେ ପ୍ରାୟେ ତମାଚ୍ଛନ୍ନ
ମନ୍ଦ ମନ୍ଦ ହସ ଦର୍ଶନଭିଳାସ ଲାଗି ଆଜ ପ୍ରାଣୋଚ୍ଛନ୍ନ ।
ମଉନାବତୀ ଗୋ ମଉନ-ରାଗରେ ନ କରି ତୁମ୍ଭେ ଗୁମାନ
ମୁନ୍ଦେ ହେଉ ସୁଦ୍ଧା ଦିଅ ପ୍ରେମ ବାରି ବର୍ଷି, ଭାଙ୍ଗି ଅଭିମାନ ।
ମଳୟ ପରଷେ ନବ-ଦୁର୍ବାଦଳେ ଭରିଛି ସତେ ପରାଣ
ମଧୁର ତାନରେ କୋକିଳ ଶୁଣାଏ ପ୍ରୀତି ପ୍ରଣୟର ଗାନ ।।
ମଣିବନ୍ଧେ ଛନ୍ଦି ମଣିବନ୍ଧ; ନିଅ ନାହିଁ ଆଗୋ ପରୀକ୍ଷଣ
ମୟୂରଚନ୍ଦ୍ରିକା ବାରେ ତୋଳ ଆସି ତେଜି ନୀରବ ରୋଦନ ।
ମରୁଭୂମି ସତେ ପ୍ରତୀତ ହୁଅଇ ତୁମ୍ଭ ଓଷ୍ଠ ଉପବନ
ମଧୁର ଆଳାପେ କରି ବାଣୀ ବନ୍ୟା, ହୃଦ ଜ୍ୱାଳା ପ୍ରଶମନ ।
ମୁଠା ମୁଠା ଫଲ୍ଗୁ ବୁଣି ଦେହ ସାରା ଭ୍ରମିତ କରା' ଫଗୁଣ
ମରୀଚିକା ଯେହ୍ନେ ନ ହୋଇ ପ୍ରେୟସୀ ସାଜ ବୈଶାଖେ ଶ୍ରାବଣ ।।
ମନେ ଭରିଦିଅ ପ୍ରୀତିର ପୁଲକ ସ୍ମୃତି କରି ରୋମନ୍ଥନ
ମଞ୍ଜୁର ହେଉ ଆବେଦନ ମୋର, ସଂଶୟକୁ କର ମୋଚନ ।।