ପାନ୍ଥଶାଳା ଓ ଅଜଣା ପଥିକ
ପାନ୍ଥଶାଳା ଓ ଅଜଣା ପଥିକ
ଝରି ପଡ଼ୁଥିଲା ଅବିରତ ବାରିଧାରା
ପାନ୍ଥଶାଳା ଗବାକ୍ଷ ସେପାଖେ
ଅଜଣା ପଥିକ ମନେ ଆତଙ୍କର ଛିଟା
ସ୍ପଷ୍ଟ ବାରି ହେଉଥିଲା ମୁଖେ ।
କଲି ଆକ୍ରମଣ ପ୍ରଶ୍ନବାଣେ ମୁହଁ ଖୋଲି
ଜୁଟାଇ ସାହସ ବକ୍ଷ ସ୍ଥଳେ
ଛାପ ଢୋକି ଦେଲା ଉତ୍ତର ସଂଶୟ ମନେ
ସ୍ପର୍ଶେ ଲାଜକୁଳୀ ଯେ ଝାଉଁଳେ ।
ଦୀପ୍ତିମନ୍ତ ଦୀପଶିଖା ହୁଏ ତେଜବନ୍ତ
ପ୍ରାରମ୍ଭରୁ ଈଷତ୍ ଆଲୋକେ
ବାଢ଼ି ଦେଲା ଦୁଃଖ କାଢ଼ି ଅନ୍ତରୁ ସମ୍ମୁଖେ
ସଞ୍ଚିଥିଲା ଯାହା ଭବଲୋକେ ।
ରବି ସଙ୍ଗେ କି ତୁଳନା ନିଶିକାନ୍ତ ଜ୍ୟୋତ୍ସ୍ନା
ସରମରେ ରହିଲି ନୀରବେ
ଥମିଗଲା ବର୍ଷା ହେଲା ପାଗ ପ୍ରକୃତିସ୍ଥ
ହୋଇଗଲୁ ଅଜଣା ପୂର୍ବଭାବେ ।
