ସାହସ: ଏକ ଗଜଲ
ସାହସ: ଏକ ଗଜଲ
ଆଉ ଥରେ ଭେଟିବାକୁ ଜୁଟୁନି ସାହସ
ପୁଣି ଥରେ ଫୁଟିବାକୁ ଜୁଟୁନି ସାହସ ।
ଲୁଟିବା ଓ ଲୁଟେଇବା ଖୁଉବ୍ ଅନ୍ତର
ଆଉ ଥରେ ଲୁଟିବାକୁ ଜୁଟୁନି ସାହସ ।
ଯେବେଠାରୁ ମୁହିଁ ଲେଖିଦେଲି ଚୁକ୍ତିନାମା
ହାତ ଲେଖା କାଟିବାକୁ ଜୁଟୁନି ସାହସ।
ଦେଖି ମୁହଁ ଫଣଫଣ ଆଉ ସେ ମେଘର
ଆକାଶରେ ଘୋଟିବାକୁ ଜୁଟୁନି ସାହସ ।
ଭାଙ୍ଗିଗଲା ଟାଣପଣ ଦେଖି ସେ ଅନ୍ଧାର
ତା' ଦୁଆରୁ ହଟିବାକୁ ଜୁଟୁନି ସାହସ।
ଯେବେଠୁଁ ଶିଖିଛି ହାତ ପତେଇବା କଳା
ଆଉ କେବେ ଖଟିବାକୁ ଜୁଟୁନି ସାହସ ।
ଜାଣି ଥା' ମୁନ୍ନା ତା' କଥା ତୀକ୍ଷ୍ଣ ଖଡ୍ଗ ଧାର
ଆଉ ଥରେ କଟିବାକୁ ଜୁଟୁନି ସାହସ ।

