ଗଛ ଆମରି ବନ୍ଧୁ
ଗଛ ଆମରି ବନ୍ଧୁ
କାଠୁରିଆ ଜଣେ ଗଛ କାଟି ନିତି
ପୋଷୁଥିଲା ତାର ପେଟ
ଯାଇଥିଲା ଦିନେ ଗଛ ହାଣି ବାକୁ
ହେବ ବୋଲି ସେଠି ବାଟ ।
ଭାରି ନିଚ୍ଛାଟିଆ ଥିଲା ସେହି ଜାଗା
ହେଉଥିଲା ଭାରି ଖରା
ନିଆଁ ପରି ସତେ ବର୍ଷି ଯାଉଥିଲା
ତାତିଥିଲା ପୁରା ଧାରା ।
କମରରେ ବାନ୍ଧି ଗାମୁଛା ଖଣ୍ଡିକ
ଗଛରେ ମାରିଲା ଚୋଟ
ଯେତେ ପଶୁ ପକ୍ଷୀ ଥିଲେ ସେହି ଗଛେ
କରିଲେ କେଁ କେଁ କଟ ।
କାଠୁରିଆ କାହୁଁ ବୁଝିବ ସେକଥା
ସେଇଟା ତାହାର ପେଶା
ମଣିଷକି ଆଜି ବୁଝୁଅଛି ଆଉ
ପକ୍ଷୀ ଅନ୍ତରର ଭାଷା ।
ସମୟ ସାଥିରେ ସୂର୍ଯ୍ୟଙ୍କ ଉତ୍ତାପ
ବଢି ବଢି ଯାଉଥିଲା
ବସି ଉଠି ପୁଣି କାଠୁରିଆ ଭାଇ
ଗଛ ପୁଣି ହାଣୁଥିଲା ।
ଅଧା ହାଣି ଗଛ କାଠୁରିଆ ଯେବେ
ପଡିଯାଇଥିଲା ଥକି
କାଠୁରିଆଟିକୁ ଗଛଟି ଯେମିତି
କହିଲା ପାଖକୁ ଡାକି ।
ମୋତେ ହାଣି ଯଦି ଥକି ଯାଇଅଛ
ଦେଉଛି ତୁମକୁ ଛାଇ
ଗାମୁଛ ଖଣ୍ଡିକ ତଳେ ପରିଦେଇ
ପଡ଼ ଟିକେ ତୁମେ ଶୋଇ ।
ବାହିଦେବି ଟିକେ ଶୀତଳ ପବନ
ବାଜିବ ତୁମରି ଦେହେ
ସତେଜ ହୋଇଲେ ହାଣିଦେଵ ସୁସ୍ଥେ
ଗଛଟି ବିକଳେ କୁହେ ।
ସେବା କରିବାଟା ଅଟେ ମୋର ଧର୍ମ
ଜନମିଛି ସେବା ପାଇଁ
ହାଣୁଛ ବୋଲିକି ତୁମପ୍ରତି ମୁହିଁ
ନିର୍ଦ୍ଧୟ ହୋଇବି କାହିଁ ।
ଜିଇଁ ଥିବା ଯାଏ ଲାଗିବି ସେବାରେ
ମଲେବି ତୁମରି କମେ
ବନ୍ଧୁଟିଏ ହୋଇ ମୁଁ ଯେ ତୁମପାଇଁ
ରହିଥିବି ଜନ୍ମେ ଜନ୍ମେ ।
