ଗାଁରେ ମୋ ପ୍ରିୟା
ଗାଁରେ ମୋ ପ୍ରିୟା
ଗୁମସୁମ ଥାଏ ଲୋଟଣୀ ପାରାଟି
ଫଡଫାଡ ବୁଲି ଉଡେ
ବର୍ଷା ଯେବେ ଆସେ ଗାଁରେ ମୋ ପ୍ରିୟା
କଥା ବେଶୀ ମନେ ପଡେ ।
ଝରକା ଖୋଲିଲେ ଟୁପଟାପ ବର୍ଷା
କୁହଇ ନିଃଶବ୍ଦେ କାନେ
ବସି ରୁହ ନାହିଁ ଖୁଣ୍ଟ ପରି ଏକା
ଭିଜିଯାଅ ଗୋଟାପଣେ ।
ଭିଜିବାରେ ଖୁସି ଆନନ୍ଦ ଅପାର
ଭାବନା ପାଣି ଫୋଟକା
ଦେଖି କଳାମେଘ ନାଚନ୍ତି ମୟୂର
ପ୍ରକୃତି ସର୍ଜନାତ୍ମିକା ।
ଚବଚବ ହୋଇ କାଗଜ ଡଙ୍ଗାକୁ
ଭସାନ୍ତି ଟିକି ପିଲାଏ
ଉଛୁଳେ ମନରେ ଆଶା ଅସୁମାରୀ
ବର୍ଷା ପାଣି ଯେବେ ବହେ ।
ହୁଏ ଅଣାୟତ୍ତ ନାଆ ଟଳମଳ
ଯାଏ ପାଣି ସୁଏ ଭାସି
ମାରିଲେ ବିଜୁଳି ମୋ ପ୍ରିୟାର ମୁହଁ
ଝଟକି ଦିଶେ ଉଦ୍ଭାସି ।
ଶୁଭେ ରହିରହି ମେଘ ଘଡଘଡି
ଛେଚଇ ବର୍ଷା ନିର୍ଦ୍ଧୂମ
ଥାଇ ପ୍ରବାସରେ ପ୍ରିୟା କଥା ଭାବି
ଅଥୟ ହୁଅଇ ମନ ।

