ଗାଁ ବନାମ ସହର
ଗାଁ ବନାମ ସହର
ସବୁଜ ସୁନ୍ଦର ଗ୍ରାମ ପରିବେଶ
ଲାଗେ ମୋତେ ଭାରି ଭଲ
ଢାଳନ୍ତି ସୂରୁଜ ପ୍ରତିଟି ପ୍ରଭାତେ
ସୁନେଲି ରଙ୍ଗ ଅବୀର ।
ଝାଟି ମାଟି ଘର ମଥାନ ଉପରେ
ଶିମ୍ବ ବରଗୁଡି ପୋଇ
ମାଡିଥାଏ ଲତା ଫଳେ ବୋଇତାଳୁ
ଘୁଙ୍ଘୁଡେ କଖାରୁ ଶୋଇ ।
ଛାଡେ ହମ୍ବା ରଡି କଅଁଳା ବାଛୁରୀ
କିଚିରି ମିଚିରି ପକ୍ଷୀ
ଗୃହ ଚଉପାଶେ କୁକୁର ବିଲେଇ
ମେଣ୍ଢା ଛେଳି ଜାତିଜାତି ।
ଶୁଭେ କାଆ କାଆ କୋଇଲିର କୁହୁ
ଦିଶଇ ଘରଚଟିଆ
ଦୋହଲଇ ବସା ବାଇ ଚଢେଇର
ବହେ ସୁଲୁ ସୁଲୁ ବାଆ ।
ମଥାନରୁ ଝରେ ବର୍ଷା ଝରଝର
ବିଷ୍ଣୁପଦ ଗଙ୍ଗାଧାର
ଚହଲା ପାଣିରେ ଭସାନ୍ତି ବାଳକେ
ଟିକି ନାଆ କାଗଜର ।
କଳ କାରଖାନା କ°କ୍ରିଟ ଜଙ୍ଗଲେ
ସହରର ପରିବେଶ
ସହରୀ ଜୀବନ ଲାଗେ ଅସ୍ତବ୍ୟସ୍ତ
ଜଳବାୟୁ ପ୍ରଦୂଷିତ ।
ଆବର୍ଜନା କୁଢ଼ ନାଳ ଓ ନର୍ଦ୍ଦମା
ପୂତିଗନ୍ଧ ପରିପୂର୍ଣ୍ଣ
ନିଃଶ୍ୱାସ ପ୍ରଶ୍ୱ।ସେ ଲାଗଇ ଅସ୍ୱସ୍ତି
କମିଯାଏ ଅମ୍ଳଜାନ ।
ଧୂଳି କଳା ଧୂଆଁ ସୂକ୍ଷ୍ମ ଦ୍ରବ୍ୟ କଣ
ଉଡିବୁଲେ ମୁକ୍ତାକାଶେ
ସୃଷ୍ଟି କରେ ରୋଗ ମାନବ ଶରୀରେ
ଅକାଳ ବାର୍ଦ୍ଧକ୍ୟ ଗ୍ରାସେ ।
ନଦୀ ଜଳ ଉତ୍ସ କରଇ ବିଷାକ୍ତ
ପାଉଶ ଓ ରସାୟନ
ରାସ୍ତା ଘାଟେ ଭିଡ଼ ଗାଡି ଓ ମଟର
ବିକଟାଳ ପ୍ରଦୂଷଣ ।
ବଢାଏ ନରକ ସହରୀକରଣ
ଉଜୁଡେ ଜଙ୍ଗଲ ଗ୍ରାମ
ବିନାଶ ବେଳାରେ ବିପରୀତ ବୁଦ୍ଧି
ଉଦୟ ହେଉ ସୁଜ୍ଞାନ ।
