ଗାଆଁ ହାତ ଠାରି ଡାକେ
ଗାଆଁ ହାତ ଠାରି ଡାକେ
ଗାଆଁ ହାତ ଠାରି ଡାକେରେ
ମୋ ଗାଆଁ ହାତ ଠାରି ଡାକେ,
ଆ ଆ ଫେରିଆ' ମୋ କୋଳକୁ ଧନ
ସାଉଁଟି ନେବିରେ ବୁକେ ।
ଗ୍ରୀଷମରେ ଏଠି ପୋଡ଼ୁନାହିଁ ମାଟି,
ତୋଟାରୁ ବୋହୁଛି ଶୀତଳ ବାଆଟି ।
ଆଷାଢ଼ରେ ମେଘ ଟପର ଟପର
ଚାଷୀ ପୁଅ ହଳ ଯୋଖେ ।
ଶ୍ରାବଣ ପୂର୍ଣ୍ଣମୀ ଦିନ ଗୋରୁ ପୂଜା,
ରକ୍ଷା ବନ୍ଧନ ବି ହୁଏ ଭାରି ମଜା ।
ଖୁଦୁରୁକୁଣୀ ଓ ଜହ୍ନିଓଷା ପରା
ଝିଅ ଯେ ପାଳନ୍ତି ସୁଖେ ।
ହେମନ୍ତଟି ହେଲେ ପଡ଼ଇ ଶିଶିର,
ପ୍ରଥମାଅଷ୍ଟମୀ ପରବଟି ସାର
ମାର୍ଗଶିର ମାସର ଯେ ଗୁରୁବାର
ବୋହୂ ଘରେ ଝୋଟି ଆଙ୍କେ ।
ମାଘରେ ପା' ଏଠି ଯେ ବାଘୁଆ ଶୀତ,
ପନିପରିବାଟି ହୁଅଇ ବହୁତ
ଫସଲ ଅମଳ ସରିଯାଇଥାଏ
ନିଆଁଟି ପୁଅଁନ୍ତି ସୁଖେ ।
ଫଗୁଣ ଆସିଲେ ଗାଅଇ କୋଇଲି,
ଦୋଳ ପର୍ବ ଆଉ ରଙ୍ଗଖେଳ ହୋଲି
ସାରାଟା ଅଞ୍ଚଳ ଯେ ଚଳଚଞ୍ଚଳ
ଆମ୍ବ କଷି କେହୁ ଚାଖେ ।
କର୍ମ ସନ୍ଧାନରେ ଆସିଅଛି ଦୂରେ,
ତଥାପି ତାହାକୁ ଏଠି ମନ ଝୁରେ
ନିଶ୍ଚୟ ମୁଁ ଯିବି ଦେହେ ବୋଳିହେବି
ଆଣି ତା'ର ଧୂଳି ଟିକେ ।
