ଏକୁ ଆରେକ ବଳି
ଏକୁ ଆରେକ ବଳି
ଦୁଇ ସାଙ୍ଗ ଥରେ ଯାଉଥାନ୍ତି ବାଟେ
ହାତ ଧରା ଧରି ହୋଇ
ହସ ଖୁସି ମିଶା କଥା ହେଉଥିଲେ
ପୁରୁଣା କଥାକୁ ନେଇ ।
କଥା ହେଉହେଉ ପ୍ରଥମ ସାଙ୍ଗଟି
ଦ୍ଵିତୀୟ ସାଙ୍ଗକୁ କହେ
ମୋ ମାମୁଁଙ୍କ ଘର ଗୋରୁ ଗାଈ ଛେଳି
ଗଣିବା ସମ୍ଭବ ନୁହେଁ ।
ଆକାଶରେ ତାରା ଯେତେ ତୁ ଦେଖୁଛୁ
ସେତକ କେବଳ ଗାଈ
ଏଇଟି ଏମିତି କିବା ବଡ କଥା
ସାଙ୍ଗ କହେ ଛିଗୁଲେଇ ।
ଆଶ୍ଚର୍ଯ୍ୟର କଥା ଏବେ ମୁଁ କହୁଛି
ମନ ଦେଇ ଟିକେ ଶୁଣ
ମୋ କଥା ଶୁଣିଲେ ବୁଝି ତୁ ପାରିବୁ
ତୋ କଥାଟି କେତେ ନ୍ୟୁନ ।
ମୋ ଅଜାଙ୍କ ଥିଲା ଲମ୍ବା ବାଉଁଶଟେ
ମେଘ ଛୁଇଁ ଥିଲା ସେହି
ବର୍ଷା ଦରକାର ହେଉଥିଲେ ଅଜା
ଖେଞ୍ଚି ଦେଉଥିଲେ ନେଇ ।
ତାଙ୍କ ଆବଶ୍ୟକ ପୂରଣ ହୋଇଲେ
କରୁଥିଲେ ଏ ପ୍ରକାର
ମେଘ ଖଣ୍ଡ ସବୁ ବାଉଁଶ ସାହାଯ୍ୟେ
ରଖନ୍ତି ଯଥା ସ୍ଥାନର ।
ପ୍ରଥମ ସାଙ୍ଗଟି ପରିହାସ କରି
ସାଙ୍ଗକୁ ତା'ର ପଚାରେ
କାମ ଶେଷ ହେଲେ ବାଉଁଶକୁ ଅଜା
ରଖୁଥିଲେ କେଉଁଠାରେ ?
ଦ୍ଵିତୀୟ ସାଙ୍ଗଟି କହେ ହସିହସି
ବାଉଁଶକୁ ଅଜା ମୋର
ଯତ୍ନ ସହକାରେ ରଖୁଥିଲେ ନେଇ
ତୋ ଅଜା ଗୁହାଳ ଘର ।
