ପିଲାର ବାପା କିଏ
ପିଲାର ବାପା କିଏ
ଜଣେ ଭାରତୀୟ ଆନ ପାକିସ୍ଥାନୀ
ନିଜ ଦେଶ ବଡ଼ ପଣ,
ଯୁକ୍ତି ମାଧ୍ୟମରେ ବଖାଣୁ ଥାଆନ୍ତି
ଯେ ଯା'ର ଦେଶ ମହାନ।
ଶେଷେ ସମାଧାନ ହେଲା ଏମିତି କି
ଉଭୟ ଗୋଟିଏ ପ୍ରଶ୍ନ,
ପଚାରିବେ ଜଣେ ଅପର ଜଣକୁ
ଜଣାଯିବ କିଏ ନ୍ୟୁନ।
ଆସନ୍ତା କାଲିକୁ ଲାଲକିଲ୍ଲା ଠାରେ
ହେବ ଏହାର ପରୀକ୍ଷା,
ତହିଁ ପରଦିନ ପାକିସ୍ଥାନୀ ଯାଏ
ଅଟୋ ଟିଏ ଧରି ଏକା।
ଅଟୋ ଚାଳକକୁ ସ୍ଥାନର ଠିକଣା
ବତାଇ କହୁଛି ଚାଲେ,
ଯଥା ଶୀଘ୍ର ସେଠି ନ'ପହଞ୍ଚିଲେ ମୁଁ
କଳଙ୍କ ଲାଗିବ ଭାଲେ।
ସବୁ ଶୁଣି କହେ ଅଟୋ ଚାଳକ ଟି
ପଚାରୁଛି ପ୍ରଶ୍ନ ଏକ,
ଉତ୍ତର ସଠିକ୍ ହେଲା
ଯେବେ ତୁମ
ରହିବ ପାକ୍ ର ଟେକ।
ମୋ ପୁଅର ମାଆ, ତା ଶାଶୁର ନାତି
ତା ବାପା'ଟି କିଏ କୁହ ?
ନ'ପାଇ ଉତ୍ତର ପାକିସ୍ଥାନୀ କହେ
ମୋ ଦ୍ବାରା ସମ୍ଭବ ନୁହଁ।
ଉତ୍ତରରେ କହେ, ଅଟୋ ଡ୍ରାଇଭର
ମୁଁ ଅଟେ ବାପାଟି ତା'ର,
ପହଞ୍ଚିଲା ଅଟୋ ସଭାସ୍ଥଳେ ଯାଇ
ପାକ୍ ଚଢେ ମଞ୍ଚପର।
ସେହି ପ୍ରଶ୍ନ ଗୋଟି କଲା ପାକିସ୍ଥାନୀ
ତା ପ୍ରତିଦ୍ବନ୍ଦୀ ଜଣକୁ,
ଭାରତୀୟ କରେ ଆଙ୍ଗୁଳି ଇସାରା
ସେହି ଶେଖ ଲୋକଟିକୁ।
ତାଳି ମାରି ହସି କହେ ପାକିସ୍ଥାନୀ
ଦେଇଛ ଭୁଲ୍ ଉତ୍ତର,
ଯେଉଁ ଅଟୋବାଲା ଆଣିଅଛି ମୋତେ
"ବାପା" ଅଟେ ସେ ପିଲାର।