STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ନିଶ୍ଚେ ପଡ଼ିଯିବ ଆମ ପାଳି

ନିଶ୍ଚେ ପଡ଼ିଯିବ ଆମ ପାଳି

1 min
136


ନିଶ୍ଚେ ପଡ଼ିଯିବ ଆମ ପାଳି,

ପୁଣି, ଲାଗିବ ସମନ ଡୋରୀ,

ଚିତ୍ର ଗୁପ୍ତ ପରା ହିସାବ କରୁଛି

ଲ୍ୟାପଟପ୍ ତାର ଧରି,

ନିଶ୍ଚେ ପଡ଼ିଯିବ ଆମ ପାଳି ।


ଆୟୂଷ ପ୍ରାରବ୍ଧ ଜୀବନ ଗଣିତ

   ମର୍ତ୍ତ୍ୟ ବାସୀ ମାନଙ୍କର,

ଅନ୍‌ଲାଇନ୍‌ରେ ହିସାବ କରନ୍ତି

  (ସେ)ଆକାଉଣ୍ଟ ଅଫିସର ।


ମୁଖ୍ୟ ନ୍ୟାୟାଳୟ ସେହି ଯମପୁର

   ଯମ ଯେ ବିଚାରପତି, 

ତାରିଖ ପଡ଼ିଲେ ଆମରି ପାଖକୁ

  ନୋଟିସ୍ ଲଗାଇ ଦ୍ଯନ୍ତି ।

  

ଫାର୍ମ କୁକୁଡ଼ା ଗୋଟା ପରେ ଗୋଟା

   ବିକ୍ରି ହୋଇଗଲା ପରି,

ଆମରି ଭିତରୁ ଜଣ ଜଣ କରି

    ବାନ୍ଧି ନିଅନ୍ତି ଘୋଷାଡି ।


କେହି ଖସି ନାହିଁ କିଳାପୋତି ଦେଇ

   ଯମରାଜା କବଳରୁ,

ଟଙ୍କା କି ଖାତିରି କାମ କରିନାହିଁ

   ତାଙ୍କ କୋର୍ଟ କଚେରୀରୁ ।


ଧନୀହେଉ ଅବା କିବା ରାଜନେତା

   ତାଙ୍କରି ପାଖେ ସମାନ,

କରମକୁ ଦେଖି ବିଚାର ସେ କରି

   ଦିଅନ୍ତି ଦଣ୍ଡ ବିଧାନ ।


ବଡ଼ବଡ଼ ଅପରାଧୀଙ୍କୁ ମିଳୁଛି 

   ସେଠି ଫାଶୀ ଦଣ୍ଡାଦେଶ,

ରୌରବ ନରକ କୁଣ୍ଡ ତେଲ କଡ଼ା

   ପୁଣି ଯନ୍ତ୍ରଣାର ଫାଶ ।


ପରୋପକାରୀ ଓ ମହାପୁରୁଷଙ୍କୁ

   ଦେଇଥାନ୍ତି ପୁରସ୍କାର,

ପଦୋନ୍ନତି କରି ତାଙ୍କୁ ସେ ପଠାନ୍ତି

   ଅମର ବୈକୁଣ୍ଠ ପୁର ।


କେବେ ନାହିଁ ଛୁଟି କୋର୍ଟ ଚାଲିଛି

   ତାଙ୍କର ଚବିଶ ଘଡ଼ି,

ନିଶ୍ଚେ ପଡ଼ିଯିବ ଆମ ପାଳି ।


ନିଶେ ହାତମାରି ଛାତିକୁ ଫୁଲେଇ

  ଯିଏ ଦମ୍ଭ କରିଥିଲା,

ଗତକାଲି ତାର ସମନ ନୋଟିସ୍

   ଯମଦୂତ ଦେଇଗଲା ।


ଆଉ କେତେକଙ୍କ ନୋଟିସ୍ ଆସିବ

   ତାରିଖ ପଡିଗଲାଣି,

ସ୍ଵାର୍ଥର ଓକିଲ ପ‌ଇସା ଖାଇକି

   ଭୁଆଁ ବୁଲେଇଦେଲାଣି ।


ନିଶ୍ଚୟ ମିଳିବ ମୃତ୍ୟୁ ଦଣ୍ଡାଦେଶ

   ଯାହା ଜଣା ପଡୁଅଛି,

ଚ‌ଉଦ୍ଵାର କାରାଗାରେ କିଛି ଦିନ

   ଜେଲ୍ ଦଣ୍ଡ ବୋଧେ ଅଛି ।


କଳା ବସ୍‌ରେ ଧଳା ପୋଷାକକୁ

  ପିନ୍ଧିବାକୁ ପଡ଼ିପାରେ,

ଅବଶ୍ୟ ସମସ୍ତ ସୁବିଧା ମିଳିବ

  ସେହି କାରାଗାରଠାରେ ।


ଖାଇବା ପିଇବା ମାଂସ ଅଣ୍ଡା ମାଛ

   ସ୍ଵାସ୍ଥ୍ୟ ସେବା,ଟିଭି ଦେଖା

କିଛି ଦିନ ପାଇଁ ମିଳିପାରେ ସେଠି

   ତା'ପରେ ନାହିଁ ତ ରକ୍ଷା ।


ଗୋଟିଏ ତାରିଖ ମିସ୍ ହେବନାହିଁ

   ଡାକରା ପହଞ୍ଚିଯିବ,

ହାଜିରା ପାଇଁକି ଡକ୍ୟୁମେଣ୍ଟ ସହ

    ପହଞ୍ଚିବାକୁ ପଡ଼ିବ ।


ଧନଦ‌ଉଲତ ଯାହା ରହିଥିବ

   ପର ତାକୁ ଖାଇଯିବେ,

କଳିରାଜା ତାକୁ ଲୋଭୀଙ୍କ ଭିତରେ

   ନିଲାମ ଯେ କରିଦେବେ ।


ଏ ହାତର ପାପ ସେ ହାତ ନେଇନି

   କେହି ନୁହେଁ ତ କାହାର,

ଆପଣା ଦୋଷରେ ପ୍ରାଣୀ ମରେ ଏଠି

   ଏକା ରାମନାମ ସାର,

ତେଣୁ ଏହି ସତ୍ୟ ଜାଣି ମୁଁ ଅଧମ

   ହେଉଅଛି ନିତି ଭାଳି,

ନିଶ୍ଚେ ପଡ଼ିଯିବ ଆମ ପାଳି

ନିଶ୍ଚେ ପଡ଼ିଯିବ ଆମ ପାଳି ।



Rate this content
Log in

Similar oriya poem from Comedy