STORYMIRROR

Jyotsnarani Panda

Tragedy Others

4  

Jyotsnarani Panda

Tragedy Others

ଏକାକୀ ଜୀବନେ

ଏକାକୀ ଜୀବନେ

1 min
428


ଏକାକୀ ଜୀବନେ ନିତ୍ୟ ମୋ ନୟନେ 

   କୃଷ୍ଣ କମନୀୟ ମୂର୍ତ୍ତି 

ସେହି ଆତ୍ମତୃପ୍ତି ଦିବ୍ୟାନନ୍ଦ ଶାନ୍ତି 

   ଲୋଡେନି ପାର୍ଥିବ ପ୍ରୀତି ।। 


ତୋଳିଥିଲି ଦିନେ ପ୍ରୀତିର କୋଣାର୍କ 

   ସ୍ନେହେ ପ୍ରେମେ ମୁଣ୍ଡିମାରି 

ମୋ ନେତ୍ର ସମ୍ମୁଖେ ଖଣ୍ଡ ଵିଖଣ୍ଡିତ 

  ଦେଖି ଲୁହ ଯାଏ ଝରି ।। 



ଭ୍ରମରେ ଭ୍ରମିଲି ସମ୍ପର୍କ ଗଢିଲି 

   ସଵୁ ଛଳନାରେ ପୂର୍ଣ୍ଣ 

ବୁଝିଗଲିଣି ମୁଁ କେ ନୁହେଁ କାହାର 

   ସ୍ଵାର୍ଥ ଯଦି ହୁଏ ଚୂର୍ଣ୍ଣ ।। 



କେତେ ଯେ ବସନ୍ତ ହେଇଛି ଆହତ 

   ବିଷାକ୍ତ ମଳୟ ବହି 

ସବୁ ଆପଣାର ହେଲେ ସାତପର 

    ସମୟର ଦ୍ୱାହି ଦେଇ ।। 



ଅତୀତର ସ୍ମୃତି ତିକ୍ତ ଅନୁଭୂତି 

   ଇଚ୍ଛୁନି ସାଉଁଟିବାକୁ 

କେ ' ବା ସହୃଦୟ ଝରା ଶେଫାଳିର 

   ଅଛି ଲୁହ ପୋଛିବାକୁ ।। 



ନିରୀହ ମନର ଅକୁହା ଵେଦନା 

   ପାଷାଣ କି ଵୁଝିପାରେ 

ହୃଦୟକୁ ଭାଙ୍ଗି ଚାଳେ ଦିଏ ଟାଙ୍ଗି 

   ସମ୍ପର୍କ ସଉଦା କରେ ।। 



ପୁରୁଣା ଅଧ୍ୟାୟ ନେଉ ଯେ ଵିଦାୟ 

    ହୃଦୟର ପୃଷ୍ଠାପରୁ 

ନ ଖୋଲୁ କେବେ ସେ ବିଳପିତ ଵହି 

   ସଜ ସ୍ମୃତି ଫରୁଆରୁ ।। 



ସଞ୍ଜ ସକାଳରେ ପ୍ରଭୁଙ୍କ ସେବାରେ 

   ବିତିଯାଉ ଵାକିଦିନ 

ସେହି ଶେଷ ଆଶା ଦୃଢ଼ ମୋ ଭରସା 

   ଜଗା ମୋ ଜୀବନ ଧନ ।। 



ମାଗୁନାହିଁ ପ୍ରଭୁ ମାନ ସନମାନ 

  ଲୋଡୁନି ବି ଧନଧାନ୍ୟ 

ତୁମ ଶ୍ରୀପୟରେ ଆଶ୍ରା ଦିଅ ପ୍ରଭୁ 

  ଲଭିଯିଵି ମହାପୁଣ୍ୟ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy