ଏ ଯୁଗର ସତ୍ୟବାନ
ଏ ଯୁଗର ସତ୍ୟବାନ
ସତ୍ୟବାନ ଆଜି ଗୁମୁରି କାନ୍ଦୁଛି
ଲୁହ ଦେଖନ୍ତିନି କେହି,
ହୃଦୟ ଯନ୍ତ୍ରଣା ମନର ବେଦନା
ବୁଝିବାକୁ କେହି ନାହିଁ ।
ପାରୁନି ଯାତନା ସହି...
ଭାଗ୍ୟ ତା'ର ସାଥେ ଲୁଚକାଳି ଖେଳେ
ପାରେନା କାହାକୁ କହି ।।୦୧।।
ସଂସାର ଜଞ୍ଜାଳ ସାଜେ ତାକୁ କାଳ
ଜୀବନଟା ନର୍କ ସମ,
ଅଭାବ ପୂରଣ ହୁଏ ନାହିଁ କେବେ
ଯେତେ କରୁଥିଲେ କାମ ।
କିଛିରେ ହୁଏନା' ନାମ...
ଦୟା ଭାବ ନେଇ ସଭିଏଁ କରନ୍ତି
ଲୋକ ଦେଖାଣିଆଁ ପ୍ରେମ ।।୦୨।।
ଯାହା ହେଲେ ମାତ ରାଗେ ଜର୍ଜରିତ
ସ୍ତ୍ରୀ ବୋଲକରା କହେ,
ଶଶୁର ଘରକୁ କରେ ଆପଣାର
ନିଜ ଲୋକ ପର ହୁଏ ।
ପୁଅ ମୋ ବିଗିଡ଼ିଯାଏ...
କହିଲେ କୁଳ କୁଟୁମ୍ବକୁ ଲାଜ
କାହାକୁ କହିବି ହାଏ !!୦୩।।
ଭଉଣୀ କହଇ ଶାଳୀ ପ୍ରେମେ ପଡ଼ି
ଭାଇ ମୋ ଦୂରେଇ ଗଲା,
ଦିନ ଥିଲା ଭାଇ କେତେ ଭଲ ଥିଲା
ସବୁ କଥା ବୁଝୁଥିଲା ।
ଦଇବ ଏ କିଶ କଲା...
ସାବିତ୍ରୀ ଓଷାରେ ସାବିତ୍ରୀ ଭାରକୁ
ମନରୁ ପାଶରି ଦେଲା ।।୦୪।।
ଅର୍ଦ୍ଧାଗିନୀ ଆସି କହଇ ସରାଗେ
ସାବିତ୍ରୀ ବ୍ରତ ଆସୁଛି,
ବାପା ଆଉ ଏବେ ପାରିବେନି ଏତେ
ଭାଇ ମୋ ଦୂରରେ ଅଛି ।
ଆସିବନି ସେଠୁ କିଛି...
ଗୋଟି ଗୋଟି କରି ସବୁ ଆଣି ଦେବ
ଶୁଣ ମୁଁ ଯାହା କହୁଛି ।।୦୫।।
ସଭିଙ୍କର କଥା ଶୁଣି ଶୁଣି ନିତି
ବଧିରା ହେଲାଣି କାନ,
ଆଗ ପଛ କରି ସବୁ ବୁଝିବାକୁ
ନିଅଣ୍ଟ ଏ ରାତିଦିନ ।
ବିଷାଦରେ ଭରା ମନ...
ତଥାପି ବଞ୍ଚିବା ସଂଗ୍ରାମ କରୁଛି
ଏ ଯୁଗର ସତ୍ୟବାନ ।।୬।।
