ଝିପିଝିପି ବର୍ଷା
ଝିପିଝିପି ବର୍ଷା
ଝିପିଝିପି ବର୍ଷା ବଦଳାଇ ଦେଲା
ଆମରି ଗାଆଁ ଚେହେରା,
ଝରଝର ପାଣି ଝରଇ ଚାଳରୁ
ଲାଗଇ ଶ୍ରାବଣ ଧାରା ।
ଅଙ୍କାବଙ୍କା ହୋଇ ନୂଆଣିଆ ଚାଳେ
ମାତିଛି କଖାରୁ ଲତା,
ଜହ୍ନି ଫୁଲ ହସେ ଘର ଅଗଣାରେ
ଜଙ୍ଗଲକୁ ଛତୁ ଛତା ।
ଧବ ଫରଫର ଡେଣା ଝାଡି ବଗ
ଖାଦ୍ୟ ଅନ୍ବେଷଣେ ଯାଏ,
ଚତୁର ବିଲୁଆ ଭୋକ ବିକଳରେ
ହୋକେ ହୋଅ କରୁଥାଏ ।
ଓଦା ସରସର ସବୁଜିମା କ୍ଷେତ
ଧରଣୀ ରାଣୀକୁ ଶୋଭା,
ପୋଖରୀ ପାଣିରେ କଇଁ ଫୁଲ ଫୁଟି
ଦିଶେ ଅତି ମନ ଲୋଭା ।
ତରତର ହୋଇ ଚାଷୀ ପୁଅ ଯାଏ
ବାଡି କଦାଳକୁ ନେଇ,
ବିଲକୁ ସଜାଡି ଘରକୁ ଫେରଇ
ଶୀତେ ଥରଥର ହୋଇ ।
ଏଠିସେଠି ବସି ତାସ ଖେଳୁଥାନ୍ତି
ଗାଁ ଛକେ କରି ମେଳି,
ତୁମ ଚାଳ ପାଣି ମୋ ବାଟେ ଆସୁଛି
କହି କରେ କିଏ କଳି ।
ବାଟେଘାଟେ ପାଣି ପଚର ପଚର
ପଡିଆବି ଯାଏ ପୂରି,
ଗୃହ ପୋଶା ପଶୁ ଚରି ନପାରନ୍ତି
ନିରାଶେ ଆସନ୍ତି ଫେରି ।
କୁଳୁକୁଳୁ ନଈ ଛାତିକୁ ଫୁଲାଇ
ଅବିରତେ ଯାଏ ବହି,
ବର୍ଷାରେ ଗାଁ ରୂପ ଯେତେ ବି ବର୍ଣିଲେ
କେବେ ଶେଷ ହେବ ନାହିଁ ।
