ଶୀତ
ଶୀତ
ଶୀତ ସକାଳରେ ମନ ଖୋଜେ ନିତି
ନିଆଁର ଉଷୁମ ତାତି,
ଗାଆଁ ମୁଣ୍ଡେ ଲୋକ ହୁଅନ୍ତି ଏକାଠି
ଜାଳି ଦେଇ କୁଟାକାଠି ।
ଘାସର ଉପରେ କାକରର ବିନ୍ଦୁ
ଝଟକେ ମୁକୁତା ସମ,
ସକାଳ ସମୟ କୁହୁଡ଼ିଆ ପାଗେ
ଆଣଇ ମନରେ ଭ୍ରମ ।
ବାଡି, ବଗିଚାରେ ଫୁଲ ଫୁଟୁଥାଏ
ଗେଣ୍ଡୁ, ଗୋଲାପ, ଟଗର,,
ଜହ୍ନ ଆଲୁଅରେ କଇଁଫୁଲ ଫୁଟି
ପୋଖରୀ ଦିଶେ ସୁନ୍ଦର ।
ଧାନ ପାଚି ନାଲି ରଙ୍ଗ ହୋଇଯାଏ
ଦେଖି ଚାଷୀ ଆନନ୍ଦିତ,
ସକାଳୁ ଉଠିଲେ ଦାଆ ଧରିଯାଏ
ଧାନ କାଟିବାକୁ କ୍ଷେତ ।
ଚଉରା ମୂଳରେ ଘରର ଘରଣୀ
ଯତନେ ଦିଏ ମୂରୁଜ,
ପୂଜାବିଧି ମାନ ସମାପନ କରେ
ପ୍ରଭାତରୁ କରି ସଜ ।
ଶୀତ ଆରମ୍ଭରୁ ବ୍ରତ, ଓଷା ମାନ
କାର୍ତ୍ତିକ ମାସେ ପଞ୍ଚକ,
ମାର୍ଗଶିର ମାସେ ମାତା ଲକ୍ଷ୍ମୀ ପୂଜା
ଜାଣନ୍ତି ଦୁନିଆଁ ଲୋକ ।
ପଉଷ ମାଘରେ ଶୀତଋତୁ ବୋଲି
ବେଶି ବଢ଼ିଯାଏ ଶୀତ
ଗରିବ ଲୋକଟି ଦିନ କାଟିନିଏ
ଦୁଃଖେ ହୋଇ ଜର୍ଜରିତ ।
ସୁଖ, ଦୁଃଖ ଦୁଇ ସାଥୀ କରିନେଇ
ବାହିଲେ ଜୀବନ ତରୀ,
ଜଣା ନପଡ଼ଇ ସମୟ ବିତଇ
ପ୍ରଭୁଙ୍କ ନାମ ସୁମରି ।।