ଟୋଣ୍ଟି ଟୋଣ୍ଟି
ଟୋଣ୍ଟି ଟୋଣ୍ଟି
ଅନ୍ଧାରରେ ଆସି ଅନ୍ଧାରେ ଫେରିଲା
ସମସ୍ତଙ୍କୁ ଦେଲା ଘାଣ୍ଟି ଘୁଣ୍ଟି
ଥିଲାବାଲା ଙ୍କର ଅଣ୍ଟା ଢିଲା ହେଲା
ଶୁଖିଲା ଗରିବ ତଣ୍ଟି
ଟୋଣ୍ଟି ଟୋଣ୍ଟି ।
ଏରୁଣ୍ଡି ଡେଇଁଲେ ତୁଣ୍ଡି ନବାନ୍ଧିଲେ
ବାଟରେ ଗଣିଲୁ ତଣ୍ଡ
ନିର୍ଦ୍ଦୟ କରୋନା କଲା ବାଟବଣା
ନିଇତି ଖାଇଲା ମୁଣ୍ଡ
ଦାଦନଙ୍କ ଦୁଃଖ ବଳେଇ ପଡିଲା
ବାଟରେ ମରିଲେ ଝୁଣ୍ଟି
ଟୋଣ୍ଟି ଟୋଣ୍ଟି ।
ବହାଘର ସବୁ ଅଟକି ରହିଲା
ମଣ୍ଡପେ ଝୁଲିଲା ତାଲା
କାମ ପାଇଲେନି କବି କଳାକାର
ଡିଜେ ଆଉ ବାଜାବାଲା
ପ୍ରେମିକ ପ୍ରେମିକା ଛଟପଟ ହେଲେ
ନହେବାରୁ ଭେଟାଭେଟି
ଟୋଣ୍ଟି ଟୋଣ୍ଟି ।
ଗମ୍ଭୀରା ଭିତରେ ଦିଅଁ ଗୃହବନ୍ଦୀ
ଦେଉଳ ଦୁଆର ମନା
ଭକତଙ୍କ ଆଉ ଦେଖା ମିଳିଲାନି
ଉପାସ ରହିଲେ ନନା
କଟକଣା ପାଇଁ ପୂଜା ମଜା ସବୁ
ଫିକା ହୋଇଗଲା ଏଠି
ଟୋଣ୍ଟି ଟୋଣ୍ଟି ।
ପିଲାମାନଙ୍କର ପାଠ ହେଲା ମାରା
ବରଷଟା ଗଲା ବିତି
ହେଲାନି ପରୀକ୍ଷା ଅନଲାଇନ ଶିକ୍ଷା
ଭଲପିଲାଙ୍କର କ୍ଷତି
ଚଗଲା ମାନଙ୍କ ମନ ଭାରି ଖୁସି
ପାଠଶାଳା ହେଲା ଛୁଟି
ଟୋଣ୍ଟି ଟୋଣ୍ଟି ।
ଦରମା କାଟିଲେ କମ୍ପାନୀ ମାନେତ
କର୍ମଚାରୀ ଗଲେ ମରି
ଅଧା ଦରମାରେ ଦହଗଞ୍ଜ ହେଲେ
ପିଲା ପରିବାର ଧରି
ସରକାରୀ ବାବୁ ଘରେରହି ସବୁ
ଆରାମରେ କଲେ ଖଟି
ଟୋଣ୍ଟି ଟୋଣ୍ଟି ।
ଏକୋଇଶ ଆସି ବାଣ୍ଟିଲାଣି ଖୁସି
ଠାକୁର ଦେଲେଣି ଦେଖା
ଏଥର ଜମିବ ପୂହ୍ନେଇ ପରବ
ସିନେହ ଶରଧା ମଖା
ବାହାଘର ହେବ ରୋଷଣୀ ଜମିବ
କଟକଣା ଗଲା ହଟି
ଟୋଣ୍ଟି ଟୋଣ୍ଟି ।
କରୋନା ର ବାଟ ହୋଇବ ଆକଟ
ମିଳିଲାଣି ଏବେ ଟୀକା
ଟୀକା ନେଲାପରେ ରହିବନି ଆଉ
ମହାମାରୀ ପାଇଁ ଶଙ୍କା
କରୋନା କୋପରୁ ମୁକତି ପାଇଁକି
ବାଟ ଆସିଲାଣି ଫିଟି
ଟୋଣ୍ଟି ଟୋଣ୍ଟି ।
